୨୦୨୬-୨୭ ଶିକ୍ଷାବର୍ଷରୁ ସମସ୍ତ ବିଦ୍ୟାଳୟରେ ଲାଗୁ ହେବ
ଭୁବନେଶ୍ୱର:୬/୧୨- ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ଭାବରେ ବିକଶିତ ୧୭ ଟି ପାଠ୍ୟପୁସ୍ତକକୁ ଅନୁମୋଦନ କରାଯାଇଛି। ବିଭାଗର ସଚିବ ଏନ. ତିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ପାଠ୍ୟକ୍ରମ ଏବଂ ପାଠ୍ୟପୁସ୍ତକ ବିକାଶ ସମ୍ପର୍କିତ ଚତୁର୍ଥ କୋର କମିଟି ବୈଠକରେ ଏହି ଅନୁମୋଦନ ହୋଇଛି। ଏହି ବୈଠକରେ ବିଭାଗ ଅଧିନରେ ଥିବା ସମସ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ କମିଟି ସଦସ୍ୟ ଉପସ୍ଥିତ ଥିଲେ।

ଦେଶରେ ପ୍ରଥମ ଥର ପାଇଁ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅଧୀନରେ ଓଡ଼ିଶା ୫୫ଟି ନୂତନ ଏନସିଇଆରଟି ପାଠ୍ୟପୁସ୍ତକକୁ ଅନୁବାଦ ଏବଂ ସନ୍ଦର୍ଭୀକରଣ କରିଛି। ଚଳିତ ବର୍ଷ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ପାଠ୍ୟକ୍ରମ ରୂପରେଖ, ୨୦୨୫କୁ ଉଦଘାଟନ କରିଥିଲେ। ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ଏହି ସଫଳତା ହାସଲ କରାଯାଇଛି। ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ତିନୋଟି ନୂତନ ବିଷୟ – କଳା ଶିକ୍ଷା, ଶାରୀରିକ ଶିକ୍ଷା ଓ ସୁସ୍ଥତା, ଏବଂ ବୃତ୍ତିଗତ ଶିକ୍ଷାରେ ପାଠ୍ୟପୁସ୍ତକ ପ୍ରଚଳନ କରିଛି। ଏହା ରାଜ୍ୟର ଆବଶ୍ୟକତା, ସଂସ୍କୃତି ଓ ଐତିହ୍ୟକୁ ପ୍ରତିଫଳିତ କରିବ। ସମସ୍ତ ନୂତନ ପାଠ୍ୟପୁସ୍ତକ ୨୦୨୬-୨୭ ଶିକ୍ଷାବର୍ଷରୁ ସମସ୍ତ ବିଦ୍ୟାଳୟରେ ଲାଗୁ କରାଯିବ।
ରାଜ୍ୟ ପାଠ୍ୟକ୍ରମ ରୂପରେଖ ଓ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟର ପୁସ୍ତକକୁ ଅତି କମ୍ ସମୟ ମଧ୍ୟରେ ବିକଶିତ କରି ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଚୟ ପାଇଛି। ଏହା ମଧ୍ୟରେ ଶିକ୍ଷକମାନଙ୍କୁ ରାଜ୍ୟବ୍ୟାପୀ ନୂତନ ପାଠ୍ୟକ୍ରମ ରୂପରେଖ ଏବଂ ନୂତନ ପାଠ୍ୟପୁସ୍ତକର ଶ୍ରେଣୀରେ ସଫଳ ସଞ୍ଚାଳନ ବିଧି ସହିତ ପରିଚିତ କରାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ପାଠ୍ୟପୁସ୍ତକ ବିକାଶ କରିବା ସମୟରେ ଓଡ଼ିଶାର ଇତିହାସ, ବିଜ୍ଞାନ, ଗଣିତ, ସାହିତ୍ୟ ଏବଂ କଳା ସହିତ ଜଡିତ ସ୍ଥାନୀୟ ଉଦାହରଣ, କାହାଣୀ ଏବଂ ସନ୍ଦର୍ଭକୁ ଅନ୍ତର୍ଭୁକ୍ତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହି ପଦ୍ଧତି ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହ କାର୍ଯ୍ୟକଳାପରେ ଅଧିକ ନିୟୋଜିତ କରାଇବ। ଜାତୀୟ ଶିକ୍ଷା ନୀତି ୨୦୨୦ ରେ ପରିକଳ୍ପନା କରାଯାଇଥିବା ଜ୍ଞାନ, ଦକ୍ଷତା, ମୂଲ୍ୟବୋଧ ଏବଂ ସ୍ୱଭାବକୁ ଏହି ପଦକ୍ଷେପ ସୁଦୃଢ଼ କରିବ ବୋଲି କୁହାଯାଇଛି।