ଭୁବନେଶ୍ୱର:୧୮ ଅଗଷ୍ଟ ୨୦୨୫- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିଷୟରେ ଆଲୋଚନା କରି ରାଜ୍ୟରେ ଖାଲି ପଡିଥିବା ବିଭିନ୍ନ ଡାକ୍ତର ପଦବୀ ଓ ପ୍ରଫେସର ପଦବୀ ପୂରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକର ଆଲୋଚନାରୁ ଜଣା ଯାଇଛି ଯେ, ଖୁବ ଶୀଘ୍ର ରାଜ୍ୟରେ ୧୮୪୦ ଡାକ୍ତର ତଥା ମେଡିକାଲ ଅଫିସର ନିଯୁକ୍ତି ପାଇବେ ଏବଂ ଆହୁରି ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ମଧ୍ୟ ନିଯୁକ୍ତି ପାଇବେ। ରାଜ୍ୟର ସମସ୍ତ ସ୍ଥାନରେ ଉପଯୁକ୍ତ ସଂଖ୍ୟାରେ ମେଡିକାଲ ଅଫିସର ନିଯୁକ୍ତି ନିମନ୍ତେ ସୁବ୍ୟବସ୍ଥାକରଣ ପ୍ରକ୍ରିୟା କରାଯିବା ସହିତ ଆଦିବାସୀ ବହୁଳ ଅଂଚଳରେ ଅଧିକରୁ ଅଧିକ ଡାକ୍ତର ନିଯୁକ୍ତି କରିବା ପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡିଥିବା ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ପ୍ରଫେସର ପଦବୀ ଖୁବଶୀଘ୍ର ରାଜ୍ୟ ସରକାର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ମେଡିକାଲ କଲେଜରେ ପି.ଜି. ସିଟ ସଂଖ୍ୟା ବୃଦ୍ଧି, ମେଡିକାଲ କଲେଜର ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟ ସେବା ଛଡା ଅନ୍ୟାନ୍ୟ ଆବଶ୍ୟକୀୟ ପଦବୀ ପୂରଣ ଓ ଟେକ୍ନିକାଲ ଷ୍ଟାଫଙ୍କ ନିଯୁକ୍ତି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ଉକ୍ତ ବୈଠକରେ ଆଲୋଚନା କରି ଏଥି ନିମନ୍ତେ ବିଭାଗୀୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ କହିଛନ୍ତି ।ପ୍ରତ୍ୟେକ ଦୁର୍ଘଟଣା ପ୍ରବଣ ଅଂଚଳରେ ସମନ୍ୱିତ ଟ୍ରମା କେୟାର ସେଣ୍ଟର ସ୍ଥାପନ ପାଇଁ ଗୁରୁତ୍ୱ ଦେବା, ଯେଉଁ ସ୍ଥାନକୁ ଡାକ୍ତର ମାନେ ଯିବାପାଇଁ ଅରାଜି ହେଉଛନ୍ତି ସେହି ସ୍ଥାନରେ ଡାକ୍ତରଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି କରିବା ଏବଂ ଆୟୁଷ ଡାକ୍ତରଙ୍କ ବିଭିନ୍ନ ସମସ୍ୟା ବିଷୟରେ ଏହି ଆଲୋଚନା ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କ ସମସ୍ୟା, ନିଯୁକ୍ତି, ବେତନ, ମେଡିକାଲ ଶିକ୍ଷାରେ ସିଟ ବୃଦ୍ଧି ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବାପାଇଁ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।