୧୯୯ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ
ଭୁବନେଶ୍ୱର:୧୮/୧-ଲୋକଙ୍କୁ ହଇରାଣ ହରକତ କରିବାରେ ସରକାରୀ କଳ ବ୍ୟସ୍ତ। ବିଶେଷ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଏଭଳି ଦୃଷ୍ଟାନ୍ତ ଅଗଣିତ। ବ୍ୟବସ୍ଥା ସୁଧୁରୁନି। ଶିକ୍ଷକ କର୍ମଚାରୀ ବାଧ୍ୟ ହୋଇ ଅଦାଲତର ଦ୍ୱାରସ୍ଥ ହେଉଛନ୍ତି। ବର୍ଷବର୍ଷ ଧରି ମକଦ୍ଦମା ଚାଲୁଛି। ଶିକ୍ଷକ କର୍ମଚାରୀଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ବିଭାଗର ବରିଷ୍ଠ ଅଧିକାରୀମାନେ ସବୁ ଜାଣି ଚୁପ ରହିବା ଏବଂ ନିଜ ମୁଣ୍ଡରୁ ଦୋଷ ତୁଟେଇବା ପାଇଁ ବିଭିନ୍ନ ଆଳରେ ଖସି ଯାଉଥିବା ବେଳେ ସରକାରଙ୍କ ଉପରେ ମକଦ୍ଦମାର ଖର୍ଚ୍ଚ ବୋଝ ହେଇ ଚାଲିଛି। ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତି ଅଦାଲତରେ ମାଲି ମକଦ୍ଦମା ସଂଖ୍ୟା ବଢ଼େଇ ଚାଲିଛି। ଏଭଳି ଏକ ଦୃଷ୍ଟାନ୍ତମୂଳକ ଉଦାହରଣ ଦେଖିବାକୁ ମିଳିଛି ପଦାବନତ କରାଯାଇଥିବା ରାଜ୍ୟର ୧୯୯ଜଣ ପ୍ରଧାନ ଶିକ୍ଷକଙ୍କ କ୍ଷେତ୍ରରେ। ଏବେ ସେମାନଙ୍କୁ ସରକାର ଡ଼ାକି ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ କରିବେ। ସୁପ୍ରିମକୋର୍ଟଙ୍କ ଛାଟ ବାଜିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅହଂକାର ଭାଙ୍ଗିଛି।




ସୂଚନା ଅନୁଯାୟୀ ଗତ ଡିସେମ୍ବର ୧୦ ତାରିଖରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ୧୯୯ ପ୍ରଧାନ ଶିକ୍ଷକଙ୍କ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ଶିକ୍ଷକମାନେ ୩ ଜୁନ ୧୯୮୮ ପୂର୍ବରୁ ୭ବର୍ଷର ଟିଜି ଶିକ୍ଷକ ଭାବେ ଅଭିଜ୍ଞତା ହାସଲ ପରେ ୧୯୭୪ ଶିକ୍ଷାସେବା ଆଇନର ୮(୨) ବି ଧାରା ଅନୁଯାୟୀ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ଅନୁମୋଦନ ପାଇ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦକୁ ଉନ୍ନୀତ ହୋଇଥିଲେ। କିଛି କନିଷ୍ଠ ଶିକ୍ଷକଙ୍କ କୋର୍ଟ ମାମଲାର ବାହାନା ନେଇ ପୂର୍ବର କୁଚକ୍ରୀ ସରକାର ଓ ସରକାରୀ କଳ ପ୍ରଥମେ ୯ ଜୁଲାଇ ୨୦୦୨ରେ ୧୧ ମାସ ପାଇଁ ଓ ପରେ ୧ ସେପ୍ଟେମ୍ବର ୨୦୧୨ରେ ବରିଷ୍ଠ ତଥା ବୟସ୍କ ପ୍ରଧାନ ଶିକ୍ଷକଙ୍କୁ ଟିଜି ଶିକ୍ଷକ ପଦରୁ ଅବନତ କରିଥିଲେ।

ଏହା ବିରୋଧରେ ପ୍ରଧାନଶିକ୍ଷକ ରାମଚନ୍ଦ୍ର ବରାଡ ଓ ନିର୍ମଳକୁମାର ପଟ୍ଟନାୟକ ପ୍ରମୁଖ ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣଙ୍କ ଦ୍ୱାରସ୍ଥ ହୋଇଥିଲେ। ୧୭ ଏପ୍ରିଲ ୨୦୧୬ରେ ଶିକ୍ଷକଙ୍କ ସପକ୍ଷରେ ରାୟ ମିଳିଥିଲା। କିନ୍ତୁ ସରକାରୀ କଳ ଏହି ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ। ୫ ଫେବୃୟାରୀ ୨୦୧୮ରେ ହାଇକୋର୍ଟ ପ୍ରଧାନ ଶିକ୍ଷକଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ତଥାପି ସରକାରଙ୍କ ମନ ମାନିଲା ନାହିଁ। ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକଙ୍କୁ ନ୍ୟାୟ ନଦେଇ ଏହାକୁ ଚାଲେଞ୍ଜ କରି ରାଜକୋଷରୁ କୋଟି କୋଟି ଟଙ୍କା ଅପବ୍ୟୟ କରିବା ସହ ଓକିଲଙ୍କ ଜରିଆରେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ମାମଲା କଲେ। ସରକାରୀ କଳ ଦ୍ୱାରା ବାରମ୍ବାର ମାନସିକ ଆଘାତପ୍ରାପ୍ତ ଏହି ଶିକ୍ଷକମାନେ ୭ବର୍ଷ ଧରି ସୁପ୍ରିମକୋର୍ଟଙ୍କ ବିଚାରକୁ ଅପେକ୍ଷା କରିଥିଲେ। ଶେଷରେ ସତ୍ୟର ଜୟ ହୋଇଛି। ସୁପ୍ରିମକୋର୍ଟ ୮(୨) ବି ଶିକ୍ଷା ଆଇନକୁ ପୁଣି ସ୍ମରଣ କରାଇଦେଇ ସରକାରଙ୍କୁ ଭର୍ତ୍ସନା କରିବା ସହ ୧୯୯ ପ୍ରଧାନ ଶିକ୍ଷକଙ୍କ ନିୟୁକ୍ତିକୁ ଯୁ୍କ୍ତିଯୁକ୍ତ ଓ ବୈଧ୍ୟ ଜଣାଇଛନ୍ତି। ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲର ୨୭/୪/୨୦୧୬ ଏବଂ ହାଇକୋର୍ଟର ୫/୨/୨୦୧୮ ନିର୍ଦେଶ ଅନୁସାରେ ଏହି ପ୍ରଧାନ ଶିକ୍ଷକମାନଙ୍କୁ ସେମାନଙ୍କ ପୂର୍ବ ପଦ ମର୍ଯ୍ୟାଦାର ସମସ୍ତ ସୁବିଧା ସୁଯୋଗ ୪ମାସ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି।
ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ୨୦୧୨ରୁ ୨୦୨୫ ଶେଷ ପର୍ଯ୍ୟନ୍ତ ଦୀର୍ଘ ୧୪ ବର୍ଷ ଭିତରେ ଅନେକ ପ୍ରଧାନ ଶିକ୍ଷକ ସୁପ୍ରିମକୋର୍ଟର ଏହି ରାୟ ଜାଣିବାକୁ ଆଉ ଇହଧାମରେ ନାହାନ୍ତି। ସରକାରୀ କଳ କିଭଳି ଚାଲିଛି ତାହାର ଏହା ହେଉଛି ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ। ଭାରତୀୟ ବିଚାର ବ୍ୟବସ୍ଥାର କାର୍ଯ୍ୟ ଏ କ୍ଷେତ୍ରରେ ପ୍ରଶଂସନୀୟ ବୋଲି ସଂପୃକ୍ତ ଶିକ୍ଷକମାନେ କହିଛନ୍ତି।