ଭୁବନେଶ୍ୱର: ୨୦/୧୧-୩୭ତମ ସଂସଦୀୟ ଇଣ୍ଟର୍ଣ୍ଣର୍ସିପ୍ କାର୍ଯ୍ୟକ୍ରମ ଅବସରରେ ନୂଆଦିଲ୍ଲୀସ୍ଥିତ ସଂସଦ ସଚିବାଳୟ ତରଫରୁ ୧୨ଟି ଦେଶର ୪୦ ଜଣ ବିଦେଶୀ ପ୍ରତିନିଧି ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ସହିତ ଏକ ବୈଠକରେ ଯୋଗଦେଇଥିଲେ। ଉପସ୍ଥିତ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହ ଓଡ଼ିଶାର ଦୃଢ଼ ଗଣତାନ୍ତ୍ରିକ ପରମ୍ପରା ଏବଂ ବିଧାନସଭାର ୮୯ ବର୍ଷର ଉତ୍ସର୍ଗୀକୃତ ଜନସେବାର ଐତିହ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। ଜୁନ ୨୦୨୪ ରୁ ଜୁନ ୨୦୨୫ ମଧ୍ୟରେ ଓଡିଶା ବିଧାନସଭା ୬୨ଟି ବୈଠକ ପରିଚାଳନା କରିଛି ଏବଂ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍ ୨୦୨୪ ଉପରେ ରେକର୍ଡ ୧୨ ଘଣ୍ଟା ୨୫ ମିନିଟ ବିତର୍କ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଧାନସଭା ପ୍ରକ୍ରିୟାର ଡିଜିଟାଲ ରୂପାନ୍ତରଣ କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନର ପୂର୍ଣ୍ଣ କାର୍ଯ୍ୟାନ୍ୱୟନ,ଇ-ପ୍ରଶାସନ, ସମ୍ପୂର୍ଣ୍ଣ ଡିଜିଟାଲ୍ ଗୃହ, ଗବେଷଣା ଏବଂ ସୂଚୀକରଣ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଡିଜିଟାଲ ପ୍ରୟୋଗ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଓଡିଶା ବିଧାନସଭା ଜାତୀୟ ପୁରସ୍କାର ହାସଲ କରିଛି। ବିଭିନ୍ନ ସଂସଦୀୟ କମିଟି ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଓଡ଼ିଶାର ୧୦ଟି ବିଭାଗୀୟ ସ୍ଥାୟୀ କମିଟି ସମେତ ୨୫ଟି କମିଟି ଗଠନ କରାଯାଇଛି। ଉନ୍ନତ ପ୍ରଶାସନ ସୁନିଶ୍ଚିତ କରିବା ପାଇଁ ଏହି କମିଟି ଗୁଡିକ ମିନି-ପାର୍ଲିମେଣ୍ଟ ଭାବରେ କାର୍ଯ୍ୟ କରୁଛି। ଓଡ଼ିଶା ନିକଟରେ ଅନୁସୂଚିତ ଜାତି ଏବଂ ଜନଜାତି କମିଟିର ଅଧ୍ୟକ୍ଷଙ୍କ ଜାତୀୟ ସମ୍ମିଳନୀକୁ ସଫଳତାର ସହିତ ଆୟୋଜନ କରିଥିଲା। ଓଡ଼ିଶାର ସାଂସ୍କୃତିକ ସମୃଦ୍ଧି ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ପୂର୍ବ ଭାରତର ସାଂସ୍କୃତିକ କେନ୍ଦ୍ର ଭାବରେ ବର୍ଣ୍ଣନା କରିଥିଲେ।
ବିଦେଶୀ ପ୍ରତିନିଧିମାନେ ପୂର୍ବରୁ ପୁରୀ, କୋଣାର୍କ, ଧଉଳି ଏବଂ ଅନ୍ୟାନ୍ୟ ଐତିହ୍ୟସ୍ଥଳୀ ପରିଦର୍ଶନ କରିଥିଲେ। ସେମାନେ ଓଡ଼ିଶାର ଐତିହ୍ୟ ଓ ଆତିଥ୍ୟର ଉଚ୍ଚ ପ୍ରଶଂସା କରିଥିଲେ।
ଉକ୍ତ ଇଣ୍ଟର୍ଣ୍ଣର୍ସିପ୍ କାର୍ଯ୍ୟକ୍ରମକୁ ପ୍ରତିନିଧିତ୍ୱ କରୁଥିବା ତୁର୍କ ମେନିସ୍ତାନର ମଜଲିସ୍ (ସଂସଦ) ସଦସ୍ୟ କରିମଗୁଲି ଗୁରବାଙ୍ଗୁଲିଭିଚ୍ ଗେଲଡିୟେଭ ଗଣତନ୍ତ୍ରରେ ସ୍ୱଚ୍ଛତା ଏବଂ ଡିଜିଟାଲ୍ ସଂସ୍କାର ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି ଏବଂ ଏହି କାର୍ଯ୍ୟକ୍ରମ ସମସ୍ତ ପ୍ରତିନିଧିଙ୍କ ପାଇଁ ସ୍ମରଣୀୟ ହେବ ବୋଲି କହିଥିଲେ।