ଭୁବନେଶ୍ୱର:୧୬/୧୨-ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରୀ ସ୍ଥିତ ଫାର୍ମ ହାଉସରେ ଭଙ୍ଗାରୁଜାକୁ ନେଇ ତୁମୁଳ କାଣ୍ଡ ସୃଷ୍ଟି ହୋଇଛି। ବିଜେଡି ନେତା ରାଜରାସ୍ତାକୁ ଓହ୍ଲାଇଥିଲେ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଥିଲେ। ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସ ଆଗରେ ସେମାନେ ଧାରଣା ଚଳାଇଥିଲେ। ପୂର୍ବତନ ବିଧାୟକ ପ୍ରଣବଙ୍କ ସମେତ ଧର୍ମଶାଳା ନିର୍ବାଚନମଣ୍ଡଳୀର ଶତାଧିକ ବ୍ୟକ୍ତି ଏହି ଧାରଣାରେ ବସିଥିଲେ।





ପୋଲିସ ଡିଆଇଜି ଓ ଯାଜପୁର ଏସପିଙ୍କ ତତ୍ୱାବଧାନରେ ଏକାଧିକ ଟିମ ଗଠନ କରାଯାଇ ସନ୍ଦିଗ୍ଧଙ୍କୁ ଧରିବାକୁ ଏବେ ବି ଚଢ଼ଉ ଜାରି ରହିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବାର ପ୍ରତିଶ୍ରୁତି ପାଇବା ପରେ ବିଜେଡି ଧାରଣା ପ୍ରତ୍ୟାହୃତ କରିଛି। ୫ ଦିନ ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଡିଜି ଅଫିସ ସମେତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ବିଜେଡ଼ି ପକ୍ଷରୁ ଚେତାବନୀ ଦିଆଯାଇଛି। ପ୍ରଣବ କହିଛନ୍ତି, ଧର୍ମଶାଳାରେ ଗୁଣ୍ଡାରାଜ ଚାଲିବ ନାହିଁ। ନ୍ୟାୟ ନ ମିଳବା ଯାଏ ଧାରଣା ଉଠିବୁ ନାହିଁ। ତାଙ୍କ ଘର ଭିତରେ ପଶି ସେମାନେ ମହିଳା, ଯୁବକ, ଛାତ୍ରମାନଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ସହ ମା’ମାନଙ୍କୁ ମଧ୍ୟ ଅସଦାଚରଣ କରିବା ଅଭିଯୋଗ ଆଣିଛନ୍ତି। ଧର୍ମଶାଳାରେ ଅରାଜକତା ଚରମ ସୀମାରେ ପହଞ୍ଚିଛି।
ଅନ୍ୟପକ୍ଷରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଜଣେ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆଣି ଶତାଧିକ କର୍ମୀ ଜେନାପୁର ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଧର୍ମଶାଳା ଘଟଣାରେ ଡିଜି କ୍ୟାମ୍ପ ଅଫିସ ସମ୍ମୁଖରେ ଦୁଇ ଦିନ ଧରି ଧାରଣା ଦେବା ପରେ ବିଜେଡି ନେତା ଓ କର୍ମୀମାନେ ଧାରଣାରୁ ଉଠିଛନ୍ତି। ବିଜେଡିର ବିଧାୟକ ଓ ବରିଷ୍ଠ ନେତାମାନେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ୪ଟି ଘଟଣାକୁ ନେଇ ଚାରିଟି ମାମଲା ରୁଜୁ ହୋଇଛି। ଘଟଣାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୃଢ ନିନ୍ଦା କରିଛନ୍ତି।