ଭୁବନେଶ୍ୱର: ୨୧/୩-ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇଥିବା ବିଜେଡିର ୬ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ଚକ୍ରମଣି କହଁର, ନବ କିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ ଏବଂ ଦେବୀ ରଞ୍ଜନ ତ୍ରିପାଠୀ। ରାଜ୍ୟସଭା ନିର୍ବାଚନରେ ଦଳର ହ୍ୱିପ ଭାଙ୍ଗି ସେମାନେ ବିଜେପି ସମର୍ôଥତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ। ସଂପୃକ୍ତ ବିଧାୟକମାନଙ୍କ ସଭ୍ୟପଦ ରବ୍ଦ ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରାଯିବ ବୋଲି ଦଳର ରାଜନୈତିକ ବ୍ୟାପାର କମିଟି(ପିଏସି) ବୈଠକରେ ହୋଇଥିବା ନିଷ୍ପତ୍ତି ହୋଇଥିବା ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି। ସେହିଭଳି ଡବଲ ବ୍ୟାଲେଟ ବ୍ୟବହାର କରିଥିବା ବିଜେପିର ଉପାସନା ମହାପାତ୍ର ଏବଂ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଭୋଟକୁ ଅବୈଧ ଘୋଷଣା କରିବା ପାଇଁ ଦଳ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେବ। ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ଏବଂ ଦୁଇ ବିଜେପି ବିଧାୟକଙ୍କ ଭୋଟ ଅବୈଧ ଘୋଷଣା ପାଇଁ ଆଇନଗତ ଲଢ଼େଇ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ବିଜେଡିରୁ ପୂର୍ବ ନିଲମ୍ବିତ ଦୁଇ ବିଧାୟକ ସନାତନ ମହାକୁଡ଼଼ ଏବଂ ଅରବିନ୍ଦ ମହାପାତ୍ରଙ୍କ ସମେତ ଉପରୋକ୍ତ ୬ ବିଧାୟକ କ୍ରସ୍ ଭୋଟିଂ କରିଥିଲେ। ୧୭ ତାରିଖରେ ଏହି ୬ ଜଣ ବିଧାୟକଙ୍କୁ ଦଳ ପକ୍ଷରୁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏଥିରେ ୨୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଉତ୍ତର ରଖିବାକୁ ସେମାନଙ୍କୁ କୁହାଯାଇଥିଲା। ସମୟ ଶେଷ ହେବା ପୂର୍ବରୁ ପ୍ରଥମେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଉତ୍ତର ରଖିଥିଲେ। କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହାର ନ କଲେ ଫୌଜଦାରୀ ମାମଲା ରୁଜୁ କରିବାକୁ ସେ ଧମକ ଥିଲେ। ଦଳର ଶୃଙ୍ଖଳା କମିଟି ବୈଠକରେ ତର୍ଜମା କରାଯାଇ ସେମାନଙ୍କୁ ଦଳରୁ ନିଲମ୍ବନ ପାଇଁ କମିଟି ସୁପାରିସ କରିଥିଲା।