-ବୁଥସ୍ତରୀୟ ଏଜେଣ୍ଟଙ୍କୁ ନିଯୁକ୍ତ କରିବାକୁ ରାଜନୈତିକ ଦଳଗୁଡିକୁ ଆହ୍ୱାନ
-ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତି ବେଳେ ଫଟୋ ଏବଂ ମୋବାଇଲ ନମ୍ବର ଜରୁରୀ
ଭୁବନେଶ୍ୱର: ୨୨/୭-ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଳନ ବିଭିନ୍ନ ସିକୃତିପ୍ରାପ୍ତ ରାଜନୈତିକ ଦଳ ଗୁଡିକ ସହ ବୈଠକ କରିଛନ୍ତି । ଏହି ବୈଠକରେ ରାଜ୍ୟରେ ଅଧିକ ଛଅ ହଜାର ତିନିଶହ ଅଠାବନ ବୁଥ ସୃଷ୍ଟି ଏବଂ ବୁଥ ସ୍ତରୀୟ ଏଜେଣ୍ଟଙ୍କୁ ନିଯୁକ୍ତ ବେଳେ ଆବେଦନ ଫର୍ମରେ ଫଟୋ ଏବଂ ମୋବାଇଲ ନମ୍ବର ଦେବାକୁ ପଡିବ ବୋଲି ସେ ଉପସ୍ଥିତ ରାଜନୈତିକ ଦଳ ଗୁଡିକର ସଦସ୍ୟଙ୍କୁ କହିଛନ୍ତି ।

ଭୋଟରଙ୍କ ସୁବିଧା ତଥା ଭିଡ କମାଇବା ସକାଶେ ପୂର୍ବରୁ ୧୫୦୦ ଭୋଟରଙ୍କୁ ନେଇ ଗଠନ ହେଉଥିବା ବୁଥ ଏଣିକି ୧୨୦୦ ଭୋଟରରେ ସୀମିତ କରାଯିବ । ଏଥି ନିମନ୍ତେ ଅଧିକ ୬୩୫୮ ବୁଥ ସୃଷ୍ଟି ହେବ । ମତଦାନର ସୁଗମ ପରିଚାଳନା ସୁନିଶ୍ଚିତ କରିବା ପାଇଁ ୧୨୦୦ ରୁ ଅଧିକ ଭୋଟର ଥିବା ମତଦାନ କେନ୍ଦ୍ରଗୁଡ଼ିକୁ ଏହି ପ୍ରକ୍ରିୟାରେ ଯୋଡ଼ାଯିବ । ନିର୍ବାଚନ ପୂର୍ବରୁ ଭୋଟରଙ୍କ ପ୍ରବେଶକୁ ସରଳ କରିବା ଏବଂ ମତଦାନ କେନ୍ଦ୍ରରେ ଭିଡ଼ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ସେହିପରି ବୁଥସ୍ତରୀୟ ଏଜେଣ୍ଟଙ୍କୁ ନିଯୁକ୍ତ ବେଳେ ଆବେଦନ ଫର୍ମରେ ଫଟୋ ଏବଂ ମୋବାଇଲ ନମ୍ବର ଏଣିକି ଦେବାକୁ ପଡିବ । ପୂର୍ବ ନିଯୁକ୍ତ ବୁଥସ୍ତରୀୟ ଏଜେଣ୍ଟ ଯେଉଁମାନେ ଆବେଦନ ବେଳେ ଫଟୋ ଏବଂ ମୋବାଇଲ ନମ୍ବର ଦେଇନଥିବେ ସେମାନେ ମଧ୍ୟ ଆବେଦନ ଫର୍ମ ପୁନଃ ଜମା କରିବେ ବୋଲି ସେ ସୂଚନା ଦେଇଛନ୍ତି । ସମସ୍ତ ରାଜନୈତିକ ଦଳ ଗୁଡିକୁ ବୁଥ ସ୍ତରୀୟ ଏଜେଣ୍ଟଙ୍କୁ ନିଯୁକ୍ତ କରିବାକୁ ସେ ଅନୁରୋଧ କରିଥିଲେ ।
ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର , ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ ଲକ୍ଷ୍ମୀ ପ୍ରସାଦ ସାହୁ, ଅନାମିକା ସିଂ ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତ ରାଜନୈତିକ ଦଳ ଗୁଡ଼ିକର ସଦସ୍ୟମାନେ ଏହି ପ୍ରକ୍ରିୟାରେ ସାମିଲ ହେବା ନେଇ ସଦିଛା ପ୍ରକାଶ କରିଥିଲେ ।