-ତିନିବର୍ଷ ପାଇଁ ଦାୟିତ୍ୱ ତୁଲାଇବେ
-ଖୁବ୍ଶୀଘ୍ର ଜିଲ୍ଲା ଓ ବ୍ଲକସ୍ତରୀୟ କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର:୧୪/୯-ଓଡିଶାର ଅନ୍ୟତମ ରାଜନୈତିକ ଦଳ କଳିଙ୍ଗ ସେନାର ସଭାପତି ଭାବେ ହେମନ୍ତ ରଥ ପୁନଃ ନିର୍ବାଚିତ ହୋଇଛନ୍ତି। ଏଥିସହିତ ଉପ ସଭାପତି ଭାବେ ଅଧିବକ୍ତା ସବ୍ୟସାଚୀ ମହାପାତ୍ର, ଅବ୍ଦୁଲ କୟୁମ୍ ଖାନ, ଉମାକାନ୍ତ ଜେନା, ହିମାଂଶୁ ନାୟକ, ହେମନ୍ତ ସିଂ, ଅଧିବକ୍ତା ତୁଳସୀ ନାରାୟଣ ଦାସ, ଗୌରାଙ୍ଗ ପ୍ରଧାନ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ବିଜୟ କୁମାର ରାଜ୍, ଇଂ ମନୋଜ କୁମାର ନାୟକ, ଇଂ ସ୍ୱାତିଶ ରଞ୍ଜନ ସାହୁ, ଅମୁଲ୍ୟ ନାୟକ, ବରୋଦା କାନ୍ତ ମହାନ୍ତି, ଇଂ ରାଧାମୋହନ ପଟ୍ଟନାୟକ, ବିଶ୍ୱଜିତ ପାତ୍ର ଓ ସମ୍ପାଦକ ଭାବେ ସଞ୍ଜୟ କୁମାର ପ୍ରଧାନ, ମୋନାଲିଶା ବିଶ୍ୱାଳ, ରଞ୍ଜିତ ସାମଲ, ମଧୁସୁଦନ ସାହୁ, ଅଶୋକ ସାହୁ, ସରୋଜ ଆଚାର୍ଯ୍ୟ, ସମୀର ପ୍ରଧାନ ନିର୍ବାଚିତ ହୋଇଛନ୍ତି । ଏହାବ୍ୟତୀତ ରାଜ୍ୟ କମିଟିକୁ ବିଭୂତି ପରିଡା, ମନୋଜ କୁମାର ମିଶ୍ର, ବିକ୍ରମ ପ୍ରଧାନ, ଦିଲୀପ ନାଥ, ସୁଧାକର ବେହେରା, ପ୍ରମୋଦ ନାୟକ, ପାର୍ଥସାରଥି ତ୍ରିପାଠୀ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦଳୀୟ କର୍ମକର୍ତ୍ତାମାନେ ଶ୍ରୀ ରଥଙ୍କୁ ଆସନ୍ତା ତିନିବର୍ଷ ପାଇଁ ଦଳର ଦାୟିତ୍ୱ ପ୍ରଦାନ କରିଛନ୍ତି । ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ନିର୍ବାଚନ ଅଧିକାରୀ ଭାବେ ଉପସ୍ଥିତ ରହି ସାଙ୍ଗଠନିକ ନିର୍ବାଚନ ପରିଚାଳନା କରିଥିଲେ । ପଞ୍ଚମ ଥର ପାଇଁ ଦଳର ମଙ୍ଗ ଧରିଥିବା ଶ୍ରୀ ରଥ କହିଛନ୍ତି ଯେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦଳ ଖୁବ୍ଶୀଘ୍ର ତାହାର ଖସଡା ପ୍ରସ୍ତୁତ କରିବ । ଏଥିରେ ରାଜ୍ୟର ଯୁବବର୍ଗ, ପଛୁଆବର୍ଗ ଏବଂ ମହିଳାମାନଙ୍କୁ ବିଶେଷ ଭାବେ ଗୁରୁତ୍ୱ ପ୍ରଦାନ କରାଯିବ। ରାଜ୍ୟର କୃଷକମାନଙ୍କମାନଙ୍କୁ ସେମାନଙ୍କର ପରିଶ୍ରମର ଫଳ ଓ ସମସ୍ତଙ୍କୁ ଯେଭଳି ସହଜ ସ୍ୱାସ୍ଥ୍ୟସେବା ମିଳିବ ଦଳ ସେ ଦିଗରେ ଅଧିକ ଫୋକସ୍ କରିବ । ସେହିଭଳି ଓଡିଶାରେ ଥିବା କଳ କାରଖାନା ଓ ବିଭିନ୍ନ ଠିକାଦାରୀ କାର୍ଯ୍ୟରେ ଓଡିଆମାନେ ଯେଭଳି ଅଧିକ ସଂଖ୍ୟାରେ କାମ ପାଇବେ ସେଥିପ୍ରତି ଦଳ ପଦକ୍ଷେପ ନେବ ।
ନିର୍ବାଚନ ପରେ ଖୁବ୍ଶୀଘ୍ର ଜିଲ୍ଲା ଓ ବ୍ଲକର କର୍ମକର୍ତ୍ତା ନିର୍ବାଚନ କରାଯିବ ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି।