ଭୁବନେଶ୍ୱର:୨୨/୯-ଗୋଟିଏ ପାଖରେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ବନ୍ଦ ଥିବା ୭୦ ଟି ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିବାବେଳେ ଅନ୍ୟ ପଟରେ ନିଶାମୁକ୍ତ ଭାରତ ଗଠନ ନିମନ୍ତେ ଗଣ ଦୌଡ କାର୍ଯ୍ୟ ସମ୍ପାଦନ କରିଛନ୍ତି । ରାଜ୍ୟବାସୀଙ୍କୁ ସରକାରଙ୍କ ଏଭଳି ନୀତି ବିସ୍ମିତ କରିଛି । ସୂଚନାଯୋଗ୍ୟ ଯେ ରାଜ୍ୟରେ ମଦ ଦୋକାନ ବନ୍ଦ କରାଯିବନି । ବନ୍ଦ ମଦ ଦୋକାନ ଖୋଲାଯିବ। ଏ ନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବନ୍ଦ ଥିବା ୭୦ଟି ମଦ ଦୋକାନ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ଅନୁମତି ଦେଇଛି। ଏହାସହ ୪ଟି ନୂଆ ଠିପିଖୋଲା ଓ ୩ଟି ମଦ କାରଖାନା ଖୋଲିବ। ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ଅବକାରୀ ମନ୍ତ୍ରୀଶ୍ରୀ ହରିଚନ୍ଦନ।

ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ଆସିବା ପରଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ରାଜ୍ୟରେ ନିଶାମୁକ୍ତ ଭାରତ ଅଭିଯାନ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଦେଶରେ ୭୫ ଟି ସହରରେ ଆୟୋଜନ କରାଯାଇଥିଲା ଗଣ ଦୌଡ କାର୍ଯ୍ୟକ୍ରମ । ଓଡ଼ିଶାରେ କ୍ରୀଡା ଓ ଯୁବସେବା ବିଭାଗ ସହ ବିଜେପି ଜନତା ଯୁବ ମୋର୍ଚ୍ଚା ଦ୍ଵାରା ନମୋ ଯୁବ ରନ ମାରାଥନ ଆୟୋଜନ କରାଯାଇଥିଲା। କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ଦୌଡ଼ିଥିଲେ ୧୦ ହଜାର ବ୍ୟକ୍ତି । ଆଗରେ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ବାବୁ ସିଂ, ସିଦ୍ଧାନ୍ତ ମହପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ନେତା। ଯୁବ ପିଢ଼ିକୁ ନିଶା ଠାରୁ ଦୂରେଇ ରଖିବା ଏବଂ ୨୦୪୭ ରେ ଯୁବକଙ୍କୁ ନେଇ ସଶକ୍ତ ସମୃଦ୍ଧ ରାଜ୍ୟ ଓ ଦେଶ ଗଠନ ଦିଗରେ ସେମାନଙ୍କୁ ଆଗକୁ ନେବାକୁ ଗଣଦୌଡ଼ରେ ବାର୍ତ୍ତା ଦିଆଯାଇଛି । ସରକାରଙ୍କର ଏଭଳି ମଦ ଦୋକାନ ଖୋଲିବା ଏବଂ ନିଶାମୁକ୍ତ ଭାରତ ଅଭିଯାନ ଆୟୋଜନ କରିବା ପଦକ୍ଷପକୁ ସାଧାରଣରେ ତୀବ୍ର ସମାଲୋଚନା କରାଯାଇଛି ।