ସାହିତ୍ୟ ପତ୍ରିକା ଅପୂର୍ବାର ୨୭ତମ ଜନ୍ମ ସମାରୋହ

ଭୁବନେଶ୍ୱର:୨୮/୦୯- ରାଜ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ଏବଂ ଅଗ୍ରଣୀ ପୁସ୍ତକ ପ୍ରକାଶନ ପ୍ରତିଷ୍ଠାନ ‘ଅପୂର୍ବା ପ୍ରକାଶନୀ’ ପକ୍ଷରୁ ଏହାର ୨୭ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇ ଯାଇଛି। ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ସଭାଗୃହରେ ଅପୂର୍ବାର ଅଧ୍ୟକ୍ଷ କଥାକାର କ୍ଷୀରୋଦ ଚନ୍ଦ୍ର ପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ରାଜନେତା ତଥା ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ଓ ଚିନ୍ତକ ହରପ୍ରସାଦ ଦାସ ଓ ସମ୍ମାନିତ ଅତିଥିଭାବେ ବିଶିଷ୍ଟ କଥାଶିଳ୍ପୀ ଡ. ପଦ୍ମଜ ପାଳ ଯୋଗ ଦେଇଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଅପୂର୍ବାର ପ୍ରତିଷ୍ଠାତା ସମ୍ପାଦକ ଗାଳ୍ପିକ କ୍ଷୀରୋଦ ଚନ୍ଦ୍ର ପତି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ଉପସ୍ଥିତ ଶତାଧିକ କବି ଲେଖକମାନଙ୍କୁ ସ୍ୱାଗତ କରିବା ସହ ଅପୂର୍ବା ଅନୁଷ୍ଠାନର ସାହିତ୍ୟିକ ଅଙ୍ଗୀକାର ବାବଦରେ ଏକ ମାର୍ମିକ ତଥ୍ୟ ଉପସ୍ଥାପନା କରିଥିଲେ।

ମୁଖ୍ୟ ଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ବିଶିଷ୍ଟ ରାଜନେତା ଏବଂ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଥିଲେ, ସାହିତ୍ୟର ଅଭିବୃଦ୍ଧି ପାଇଁ ତିନୋଟି ବିନ୍ଦୁକୁ ଯୋଗ କରିବାକୁ ହେବ। ସେ ତିନୋଟି ବିନ୍ଦୁ ହେଲା ଲେଖକ ପାଠକ ଓ ପ୍ରକାଶକ। ଏ ବାବଦରେ ସେ ଅପୂର୍ବାର ଭୂମିକାକୁ ଭୁୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ସେ କହିଥିଲେ, ସାହିତ୍ୟିକମାନେ ରାଜନୈତିକ ସ୍ଥିତି ଉପରେ ଚର୍ଚ୍ଚା ନକରିବା ଫଳରେ ନିଜେ ଅପ୍ରାସଙ୍ଗିକ ହୋଇ ଯାଉଛନ୍ତି । ଫଳରେ ଆମେ ରାଜ୍ୟର ବାସ୍ତବ ଚିତ୍ର ଜାଣିପାରୁନେ। ସେମାନେ ପାଠକଙ୍କ ନିକଟରେ ରାଜ୍ୟର ବାସ୍ତବ ଚିତ୍ର ଉପସ୍ଥାପନ କରିବା ଆବଶ୍ୟକ। ମୁଖ୍ୟ ବକ୍ତା ହରପ୍ରସାଦ ଦାସ କହିଥିଲେ ଆମ ସାହିତ୍ୟ ଦିନକୁ ଦିନ ପାଠକମାନଙ୍କ ଅନାଗ୍ରହର ଶିକାର ହେଉଛି। ତେବେ ଏ କ୍ଷେତ୍ରରେ ସାହିତ୍ୟ ପତ୍ରିକା ମାନକ ଗୁରୁ ଦାୟିତ୍ୱ ରହିଛି। ସମ୍ମାନିତ ଅତିଥି ପଦ୍ମଜ ପାଳ କହିଥିଲେ, ଓଡିଶାରେ ସାହିତ୍ୟର ପାଠକ ସଂଖ୍ୟା ଦିନକୁ ଦିନ କମିକମି ଯାଉଛି, ତେଣୁ ଆମେ ସମସ୍ତେ ପତ୍ର ପତ୍ରିକା ପାଠ କରିବା ଉଚିତ।

ଏହି ଅବସରରେ ସାହିତ୍ୟ ମାଧ୍ୟମରେ ସମାଜକୁ ଉଲ୍ଲେଖନୀୟ ଅବଦାନ ପାଇଁ କବିତା ଗୌରବ ସମ୍ମାନରେ କବି ରଞ୍ଜନ କୁମାର ଦାସ, ପ୍ରବନ୍ଧ ଗୌରବ ସମ୍ମାନରେ ଡ. ଦୀନବନ୍ଧୁ ଦାଶ, ଉପନ୍ୟାସ ଗୌରବ ସମ୍ମାନରେ ଆଣ୍ଡାମାନର ପିସିସିଏଫ୍ ତଥା ବିଶିଷ୍ଟ କଥାକାର ଅଶୋକ ବିଶ୍ୱାଳ, ସମ୍ପାଦକ ଗୌରବ ସମ୍ମାନରେ ଆମ ପଞ୍ଚବଟୀ ପତ୍ରିକାର ସମ୍ପାଦକ ସୁଶାନ୍ତ କୁମାର ନାୟକ ଓ ରବି ମହାପାତ୍ର ସ୍ମୃତି ସମ୍ମାନରେ ବିଶିଷ୍ଟ କଥାଶିଳ୍ପୀ ପଦ୍ମଜ ପାଳଙ୍କୁ ନଗଦ ଦଶହଜାର ଧନରାଶି ସହ ଅଙ୍ଗବସ୍ତ୍ର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ଅପୂର୍ବାର ୨୭ତମ ଶାରଦୀୟ ବିଶେଷାଙ୍କ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହେବାସହ ଅପୂର୍ବା ପ୍ରକାଶନୀ ପ୍ରକାଶିତ ଡ. ଅଶୋକ ମହାନ୍ତିଙ୍କ ଳିଖିତ ପ୍ରବନ୍ଧ ପୁସ୍ତକ ଓଡ଼ିଆ ଗୀତି କବିତାରେ ଲୋକସଂସ୍କୃତି, ବ୍ରହ୍ମାନନ୍ଦ ସ୍ୱାଇଁଙ୍କ ଳିଖିତ ଗଳ୍ପ ପୁସ୍ତକ ଗୋଧୂଳି ରଙ୍ଗ, ଦୁର୍ଗା ପ୍ରସାଦ ମହାରଣାଙ୍କ ଳିଖିତ ଗୀତି କବିତା ପୁସ୍ତକ ମିତପାଇଁ ପ୍ରୀତିଛନ୍ଦ, ପ୍ରଶାନ୍ତି ସାହୁଙ୍କ ଳିଖିତ କବିତା ପୁସ୍ତକ ନିରବତାର ଚିତ୍ରାଙ୍କନ ଲୋକାର୍ପିତ ହୋଇଥିଲା। ପତ୍ରିକାର ସୌଜନ୍ୟ ସମ୍ପାଦକ ତ୍ରିଲୋଚନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ପରିଚାଳନା ସମ୍ପାଦିକା ଡ. ସବିତା ରାଉତରାୟ, ଆଡଭୋକେଟ୍ ଲୋପାମୁଦ୍ରା ଦାଶ ଓ କବି ଦୟାନିଧି ନାୟକ ଉତ୍ସବ ପରିଚାଳନା କରିଥିଲେ। ଉତ୍ସବର ସଂଯୋଜନା କରିଥିଲେ ବିଶିଷ୍ଟ କବି ଡ. ଗୀତାଶ୍ରୀ ପ୍ରିୟମ୍ବଦା। ଉକ୍ତ ଉତ୍ସବରେ ରାଜ୍ୟର ଶତାଧିକ ବିଶିଷ୍ଟ ଲେଖକ ଲେଖିକା ଯୋଗଦେଇଥିଲେ।