-ନୂଆପଡାରେ ୧୧୦୦ରୁ ଅଧିକ କୋଟି ଟଙ୍କାର ୯୫୭ ପ୍ରକଳ୍ପର ଶୁଭାରମ୍ଭ
-ଖରିଆର୍ ରୋଡ୍କୁ ମୁନିସିପାଲିଟି ଘୋଷଣା
-କୋମନା ଏବଂ ସିନାପାଲି ନୂତନ ଏନ୍.ଏ.ସି
-ରାଜ୍ୟର ସବୁ ତହସିଲରେ ଖୋଲିବ ସବ୍ ରେଜିଷ୍ଟ୍ରେସନ ଅଫିସ,
ପ୍ରଥମ ପର୍ଯ୍ୟାୟରେ ଖୋଲିଲା ୭ଟି, ନୂଆପଡାରେ ୩, ମାଲକାନଗିରିରେ ୪
ଭୁବନେଶ୍ୱର:6/10- ନୂଆପଡାବାସୀଙ୍କ ପାଇଁ ମୋ ଦୁଆର ସବୁବେଳେ ଖୋଲା। ସେମାନେ ଯେତେବେଳେ ଚାହିଁବେ ମୋତେ ଭେଟିପାରିବେ। ସେମାନଙ୍କ କୌଣସି ସମସ୍ୟା ଯଦି ମୋ ନଜରକୁ ଆସେ ତେବେ ସେ ସବୁକୁ ଗୁରୁତ୍ୱ ଦିଆଯାଇ ସମାଧାନ କରିବାକୁ ଉଦ୍ୟମ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡା ଗସ୍ତ କରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି।
ସେ କହିଥିଲେ ଯେ, ଦୂର ହେଉ କି ପାଖ, ବଡ ହେଉ ବା ଛୋଟ, ରାଜ୍ୟର ସବୁ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ମୋଦୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ରାଜ୍ୟର ଜନସାଧାରଣଙ୍କ ସେବା ପାଇଁ ସବୁ ସମୟରେ ସବୁ ମୁହୂର୍ତ୍ତରେ ଉପସ୍ଥିତ ଅଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆପଡା ସହିତ ମୋର ଭାବଗତ ସମ୍ପର୍କ ରହିଛି ଏବଂ ଏହା ବଢି ବଢି ଚାଲିଛି। ଆଗାମୀ ଦିନରେ ଏହି ସମ୍ପର୍କ ଆହୁରି ସୁଦୃଢ ହେବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୂଆପଡା ଜିଲ୍ଲା ପାଇଁ ୧୧୦୧ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଘୋଷଣା କରିଥିଲେ। ଏଥିମଧ୍ୟରୁ ୬୪ କୋଟି ୨ ଲକ୍ଷ ଟଙ୍କା ବିନିଯୋଗରେ ୧୦୯ଟି ପ୍ରକଳ୍ପର ଲୋକାର୍ପଣ କରାଯାଇଥିଲା । ୧୫୯ କୋଟି ୭୬ ଲକ୍ଷ ଟଙ୍କାର ୩୯ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା ଏବଂ ୭୫ କୋଟି ୩୭ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ସହିତ ନୂଆପଡା ଜିଲ୍ଲାରେ ଜଳସେଚନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ୮୦୨ କୋଟି ୯ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଥିଲେ । ଅନ୍ନଦାତାମାନଙ୍କ ଜମିକୁ ଜଳ ଯୋଗାଇବା ପାଇଁ ସରକାର ନିଷ୍ଠାର ସହ ଉଦ୍ୟମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ପୂର୍ବରୁ ଖରିଆର୍ ରୋଡ୍କୁ ଏନ୍.ଏ.ସି ରୁ ମୁନିସପାଲିଟି କରିବା ପାଇଁ ଦାବି ହୋଇଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ମୁନିସପାଲିଟି ରୂପେ ଘୋଷଣା କରିଛନ୍ତି। ସେହିପରି କୋମନା ବ୍ଲକକୁ ଏନ୍.ଏ.ସି ମାନ୍ୟତା ପ୍ରଦାନ କରାଯାଇଛି ଏବଂ ସିନାପାଲି ଗ୍ରାମପଞ୍ଚାୟତ ଓ ଗୋଡାଲ ଗ୍ରାମପଞ୍ଚାୟତକୁ ମିଶାଇ ଏହାକୁ ସିନାପାଲି ଏନ୍.ଏ.ସି ରୂପେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଏହା ଭିତରେ ମୁଖ୍ୟମନ୍ତ୍ରୀ ତିନି ଥର ନୂଆପଡା ଆସିସାରିଲେଣି। ଏପ୍ରିଲ ମାସରେ ମାରାଗୁଡା ମହୋତ୍ସବକୁ ଆସି ମୁଖ୍ୟମନ୍ତ୍ରୀ ୩୨୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହା ସହିତ ନୂଆପଡା ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ମଧ୍ୟ ଯୋଗଦେଇଥିଲେ। ଆଜିକୁ ମିଶାଇ ନୂଆପଡା ପାଇଁ ମୁଖ୍ୟମନ୍ତ୍ରୀ ୧୪୨୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଥିଲେ ଯେ ରାଜ୍ୟର ସବୁ ତହସିଲରେ ସବ୍ ରେଜିଷ୍ଟ୍ରେସନ ଅଫିସ ଖୋଲାଯିବ । ବର୍ତ୍ତମାନ ରାଜ୍ୟର ୩୧୭ଟି ତହସିଲରୁ ୨୧୦ଟି ତହସିଲରେ ସବ୍ ରେଜିଷ୍ଟ୍ରେସନ ଅଫିସ ରହିଛି । ଖୁବଶୀଘ୍ର ବାକି ୧୦୭ଟି ତହସିଲରେ ସବ୍ ରେଜିଷ୍ଟ୍ରେସନ୍ ଅଫିସ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜି ପ୍ରଥମ ପର୍ଯ୍ୟାୟରେ ନୂଆପଡାର ୩ଟି – ସିନାପାଲି, କୋମନା ଓ ବୋଡେନ୍ ଏବଂ ମାଲକାନଗିରିର ୪ଟି- ମାଥିଲି, କାଲିମେଳା, ଖଇରପୁଟ ଓ କୁଡୁମୁଲୁଗୁମା- ଏହିପରି ୭ଟି ତହସିଲରେ ସବ୍ ରେଜିଷ୍ଟେସନ୍ ଅଫିସ ଖୋଲାଗଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ସେ କହିଥିଲେ ଯେ, ପୂର୍ବରୁ ପ୍ରିମାଟ୍ରିକ ସ୍କଲାରସିପର୍ ଛାତ୍ରମାନଙ୍କୁ ୧୦,୫୦୦ ଟଙ୍କା ମିଳୁଥିବା ବେଳେ ଏବେ ୧୬,୦୦୦ ଟଙ୍କା ପ୍ରଦାନ କରାଯିବ । ସେହିପରି ଅନ୍ୱେଷା ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପୂର୍ବରୁ ୧୧ ହଜାର ଟଙ୍କା ମିଳୁଥିବା ବେଳେ ଏବେ ଏଥିରେ ୧୭ ହଜାର ଟଙ୍କା ମିଳିବ। ପୋଷ୍ଟ ମାଟ୍ରିକ ସ୍କଲାରସିପ୍ରେ ପୂର୍ବରୁ ଛାତ୍ର ମାନଙ୍କୁ ୧୧ ହଜାର ଟଙ୍କା ମିଳୁଥିବା ବେଳେ ଏବେ ୧୬ ହଜାର ଟଙ୍କା ମିଳିବ ଏବଂ ଛାତ୍ରୀ ମାନଙ୍କୁ ୧୭ ହଜାର ଟଙ୍କା ମିଳିବ ।
ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ନୂଆପଡା ଜିଲ୍ଲାର ବିପୁଳ ସଫଳତାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁଭଦ୍ରା ଯୋଜନାରେ ନୂଆପଡାର ୧ ଲକ୍ଷ ୫୫ ହଜାର ମହିଳା ଉପକୃତ ହୋଇଛନ୍ତି, ଗୃହ ଯୋଜନାରେ ନୂଆପଡାର ୨୫୪୮ ପରିବାରକୁ ଘର ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯାଇଛି । ଏହା ସହିତ ନୂଆପଡା ପ୍ଲାଷ୍ଟିକ ମୁକ୍ତ ଜିଲ୍ଲାଭାବେ ଘୋଷିତ ହେବା ସହ କନ୍ୟାଶିଶୁକୁ ପ୍ରାଧାନ୍ୟ ଦେଇ ‘ଝିଅ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି ଏବଂ ନବଜାତ ଶିଶୁକନ୍ୟା ଓ ସେମାନଙ୍କ ପିତା ମାତାଙ୍କୁ ମଧ୍ୟ ସମ୍ମାନିତ କରାଯାଉଛି ।