-ଗଣମାଧ୍ୟମରେ ମନଇଚ୍ଛା ବିଜ୍ଞାପନ ଛାପି ପାରିବେନି ରାଜନୈତିକ ଦଳ ଓ ପ୍ରାର୍ଥୀ
-ପ୍ରାର୍ଥୀଙ୍କ ଅପରାଧିକ ବିବରଣୀର ଘୋଷଣାନାମା ଜରୁରୀ
-ତାରକା ପ୍ରଚାରକଙ୍କ ତାଲିକା ଦାଖଲ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର:୯/୧୦-ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପ ନିର୍ବାଚନ ପରିପ୍ରେକ୍ଷୀରେ ସବୁ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍. ଗୋପାଳନ ବୈଠକରେ ଅଧ୍ୟକ୍ଷତା କରି କହିଥିଲେ ଯେ ଚଳିତ ଉପ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଏଣୁ ନିର୍ବାଚନକୁ ସଫଳ କରିବା ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସମସ୍ତ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ କରିବା ନିମନ୍ତେ ସେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ ଭାରତ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ପ୍ରତି ବୁଥ୍ରେ ଭୋଟର ସଂଖ୍ୟା ୧୨୦୦ ମଧ୍ୟରେ ସୀମିତ କରାଯାଇଛି ।
ଚଳିତ ଉପ ନିର୍ବାଚନରେ ୧,୨୪,୧୦୮ ଜଣ ପୁରୁଷ ଭୋଟର ରହିଥିବାବେଳେ ୧,୨୯,୪୯୫ ଜଣ ମହିଳା, ୨୧ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କ ସହ ମୋଟ ୨,୫୩,୬୨୪ ଜଣ ଭୋଟର ଚୂଡ଼ାନ୍ତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି । ଚୂଡ଼ାନ୍ତ ଭୋଟର ତାଲିକାରେ ୯,୪୨୯ ଜଣ ଯୁବ ଭୋଟର ରହିଥିବାବେଳେ ୩୯୮୮ ଜଣ ଦିବ୍ୟାଙ୍ଗ ଭୋଟର ଏବଂ ୧୭୮୬ ଜଣ ବରିଷ୍ଠ ନାଗରିକ (୮୫ ବର୍ଷରୁ ଊଦ୍ଧ୍ୱ)ର୍ ରହିଛନ୍ତି । ଚଳିତ ଉପ ନିର୍ବାଚନ ପାଇଁ ୫୬ଟି ନୂତନ ବୁଥ୍ ପ୍ରତିଷ୍ଠା ହୋଇଛି ।
ଉପ ନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ ବୈଦ୍ୟୁତିକ, ମୁଦ୍ରଣ ଓ ସାମାଜିକ ଗଣମାଧ୍ୟମ ଏବଂ ୱେବ୍ମିଡ଼ିଆ ସମେତ ସିନେମାହଲ୍, ରେଡ଼ିଓ, ପୋଷ୍ଟର ଓ ହୋଡ଼ିଂ ଆଦି ଜରିଆରେ ବିଜ୍ଞାପନ ଜାରି ପୂର୍ବରୁ ଆୟୋଗଙ୍କ ଅନୁମତି ଜରୁରୀ । ଏଥି ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଅପରାଧିକ ସମ୍ପୃକ୍ତି ନେଇ ଘୋଷଣାନାମା ମୁଦ୍ରିତ ଗଣମାଧ୍ୟମରେ ପ୍ରକାଶ କରିବା ସହ ଆୟୋଗଙ୍କୁ ଏ ବାବଦରେ ଅବଗତ କରାଇବା ବାଧ୍ୟତାମୂଳକ କରାଯାଇଛି । ଦଳ ଓ ପ୍ରାର୍ଥୀଙ୍କ ଖର୍ଚ୍ଚର ବିବରଣୀ, ତାରକା ପ୍ରଚାରକଙ୍କ ତାଲିକା ଏବଂ ଆଦର୍ଶ ଆଚରଣ ବିଧିର ସଠିକ୍ ଅନୁପାଳନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।