-ଅକ୍ଟୋବର ୨୦ ସୁଦ୍ଧା ନାମାଙ୍କନ
-ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଦାନ
-୮ ବୁଥରେ ପୋଲିଂ କର୍ମଚାରୀ ପହଞ୍ଚିବା ପାଇଁ ହେଲିକପ୍ଟର ବ୍ୟବସ୍ଥା
ଭୁବନେଶ୍ୱର:୧୩/୧୦-ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପ ନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ଅକ୍ଟୋବର ୨୦ (ସୋମବାର) ତାରିଖ ଧାର୍ଯ୍ୟ ହୋଇଛି । ସେହିପରି ଅକ୍ଟୋବର ୨୨ (ବୁଧବାର) ରେ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ଅକ୍ଟୋବର ୨୪ (ଶୁକ୍ରବାର) ତାରିଖକୁ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି।
ନଭେମ୍ବର ୧୧ (ମଙ୍ଗଳବାର) ତାରିଖ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଚାଲିବ। ଅନ୍ୟପକ୍ଷରେ ବାମପନ୍ଥୀ ଉଗ୍ରବାଦୀ ପ୍ରବଣ ଅଞ୍ଚଳର ୪୭ଟି ବୁଥରେ ସକାଳ ୭ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ନଭେମ୍ବର ୧୬ ( ରବିବାର) ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ।୧୩ ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ପ୍ରାର୍ଥୀ ନୂଆପଡା ଉପ ଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ମାଓପ୍ରବଣ ଅଞ୍ଚଳରେ ଥିବା ୪୭ଟି ସମ୍ବେଦନଶୀଳ ବୁଥ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୮ଟି ବୁଥରେ ପୋଲିଂ କର୍ମଚାରୀ ପହଞ୍ଚିବା ପାଇଁ ହେଲିକପ୍ଟର ବ୍ୟବସ୍ଥା ହୋଇଛି। ନିର୍ବାଚନ ପରିଚାଳନା ପାଇଁ ୧୪ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ ହେବେ।