ଭୁବନେଶ୍ୱର:14/10-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ କେନ୍ଦୁଝର ସାନ ଘାଗରାରେ ପ୍ରତିଷ୍ଠା ହେବାକୁ ଥିବା ନୂତନ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (Regional Plant Resource Centre) ବିଷୟରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର ପ୍ରଶାସନ ସହ ଆଲୋଚନା କରିଛନ୍ତି। ବିକଶିତ ହେବାକୁ ଥିବା ଏହି କେନ୍ଦ୍ର ଓଡିଶାର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭାବେ ସାନ ଘାଗରା ଠାରେ ପ୍ରାୟ ୧୩୪ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠା ହେବ।

ବୈଠକରୁ ଜଣା ପଡିଛି ଯେ, ଏହି କେନ୍ଦ୍ର, ଜୈବ ବିବିଧତା ସଂରକ୍ଷଣ, କମ୍ୟୁନିଟି ସେଣ୍ଟର, ଇକୋ-ଟୁରିଜିମ ଏବଂ ଗବେଷଣା ଓ ଶିକ୍ଷାର ବିକାଶ ପାଇଁ ନିର୍ମାଣ କରାଯିବ। ଏହି ସ୍ଥାନଟି ପ୍ରାକୃତିକ ଅଭିଜ୍ଞତା ଏବଂ ଥିମାଟିକ ଗାର୍ଡେନର ଅନୁଭୂତି ପ୍ରଦାନ କରିବ। ଏହି କେନ୍ଦ୍ରରେ ଓଡ଼ିଶାରେ ଥିବା ବିଭିନ୍ନ ପ୍ରଜାତିର ଅର୍କିଡ଼ ଉପଲବ୍ଧ ହେବା ସହିତ ଗୋଲାପ, ବାଉଁଶ, କାକଟସ, ଜଙ୍ଗଲୀ ଫଳ ଇତ୍ୟାଦି ମଧ୍ୟ ସ୍ଥାନିତ ହୋଇ ଅଞ୍ଚଳର ଶୋଭା ମଣ୍ଡନ କରିବ।
ଏହି ଅଂଚଳକୁ ବିଶେଷ ପର୍ଯ୍ୟଟନ ସ୍ଥଳ ଭାବେ କାର୍ଯ୍ୟକାରୀ କରିବା ପାଇଁ ଏହାକୁ ବର୍ଷ ତମାମ ପର୍ଯ୍ୟଟକ ଓ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ଅଂଚଳରେ ହାତୀ ଉପଦ୍ରବ ଅଧିକ ରହୁଥିବାରୁ ଜିଲ୍ଲା ପ୍ରଶାସନକୁ ମଧ୍ୟ ଏହାର ଉଚିତ ପ୍ରତିକାର ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ Deep trenches ଦ୍ୱାରା ମଣିଷ-ହାତୀଙ୍କର ସଂଘର୍ଷକୁ ରୋକିବା ପାଇଁ ପରାମର୍ଶ ଦେଇଥିଲେ । ଏହି ନୂତନ ନିର୍ମାଣ ଯୋଗୁଁ ସେହି ସ୍ଥାନ ଦେଇ ବହି ଯାଉଥିବା ମାଛକାନ୍ଦଣା ନଦୀର ଜଳ ଯେପରି ସବୁବେଳେ ଭରପୁର ରୁହେ ସେଥିପ୍ରତି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହି କେନ୍ଦ୍ରରେ ଅର୍କିଡ୍ ସଂରକ୍ଷଣ ଏବଂ ପ୍ରଦର୍ଶନ କେନ୍ଦ୍ର, ପଦ୍ମ ଉଦ୍ୟାନ, ଜଙ୍ଗଲୀ ଖାଦ୍ୟଯୋଗ୍ୟ ଫଳ ଉଦ୍ୟାନ, ଫର୍ଣ୍ଣ ଉଦ୍ୟାନ, ଔଷଧୀୟ ଉଦ୍ଭିଦ ଉଦ୍ୟାନ, ଫୁଲ ବଜାର, ଛୋଟ ପିଲାଙ୍କ ଖେଳ ସ୍ଥାନନିର୍ମାଣ ହେବା ସହିତ ସମସ୍ତ ଆସବାବପତ୍ର ପାଇଁ ସ୍ଥାନୀୟ ପଥର ଏବଂ କାଠର ବ୍ୟବହାର କରାଯିବ। ଏହି ନିର୍ମାଣ କାର୍ଯ୍ୟ ୨୦୨୭ ସୁଦ୍ଧା ସମାପ୍ତ ହେବ ବୋଲି ଆଲୋଚନାରୁ ଜଣାପଡିଛି ।