-୪୭୧ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ
-ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ
ଭୁବନେଶ୍ୱର:୧୯/୧୦-ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରିଛନ୍ତି। ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ବ୍ୟତୀତ ରାଜ୍ୟର ୨୮ଟି ଜିଲ୍ଲାରେ ୪୭୧ଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହିତ ୪୮,୬୯୩ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବାବଦରେ ୪୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକଙ୍କ ବାସଗୃହ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖରେ ଆମ ସରକାର ରାଜ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ୨୦୨୪-୨୫ରୁ ୨୦୨୭-୨୮ ଆର୍ôଥକ ବର୍ଷ ମଧ୍ୟରେ ୭,୫୫୦ କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି। ଏଥିରେ ୫ ଲକ୍ଷ ଘର ନିର୍ମାଣ କରାଯିବ। ନୂଆପଡ଼ା, କଳାହାଣ୍ଡି ଜିଲ୍ଲାକୁ ଛାଡ଼ି ବାକି ୨୮ ଟି ଜିଲ୍ଲାର ୪୮ ହଜାର ୬୯୩ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସମୁଦାୟ ୧୯୪ କୋଟି ୭୭ ଲକ୍ଷ ୨୦ ହଜାର ଟଙ୍କା ବଣ୍ଟନ କରାଯାଇଛି। ହିତାଧିକାରୀମାନଙ୍କୁ ଦ୍ୱିତୀୟ କିସ୍ତିରେ ୬୫ ହଜାର ଏବଂ ତୃତୀୟ କିସ୍ତିରେ ୧୫ ହଜାର ଟଙ୍କା ଏହିପରି ସମୁଦାୟ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବ ବୋଲି ସେ କହିଥିଲେ।

ଯେଉଁ ହିତାଧିକାରୀମାନେ ୪ ମାସ ମଧ୍ୟରେ ଘର ଶେଷ କରିବେ, ସେମାନଙ୍କୁ ୨୦ ହଜାର ଟଙ୍କା ଏବଂ ଯେଉଁମାନେ ୬ ମାସରେ ଘର ଶେଷ କରିବେ, ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ। ସମସ୍ତ ହିତାଧିକାରୀଙ୍କୁ (ଆଇଏପି)ସମନ୍ୱିତ କାର୍ଯ୍ୟ ଯୋଜନା ଜିଲ୍ଲାରେ ମନରେଗା କାର୍ଯ୍ୟକ୍ରମରେ ୯୫ ଦିନର ମଜୁରୀ ଏବଂ ଅଣ-ଆଇଏପି ଜିଲ୍ଲାରେ ୯୦ ଦିନର ମଜୁରୀ ମଧ୍ୟ ଦିଆଯାଉଛି। ଏହାସହିତ ହିତାଧିକାରୀଙ୍କୁ ଶୌଚାଳୟ, ପାଇପ ପାଣି ଆଦି ଅନ୍ୟାନ୍ୟ ମୌଳିକ ସୁବିଧା ମଧ୍ୟ ଦିଆଯାଉଛି। ଏହି ଅନ୍ତ୍ୟୋଦୟ ଗୃହ ଯୋଜନା ଗରିବ, ଅନଗ୍ରସର ତଥା ଅସହାୟ ପରିବାର ମାନଙ୍କ ପାଇଁ ଏକ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ କରିବାରେ ସହାୟକ ହେବ। ଏହାଦ୍ୱାରା ଗରିବ ଓ ଅସହାୟ ହେଲେ ମଧ୍ୟ, ପ୍ରତ୍ୟେକ ନାଗରିକ ଏକ ସର୍ବନିମ୍ନ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିପାରିବେ।
ଶାସନ ନୁହେଁ, ସେବା ହିଁ ଆମ ସରକାରଙ୍କର ମୂଳମନ୍ତ୍ର। ଏହି ଉକ୍ତିକୁ ଯଥାର୍ଥ ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗ୍ଦର୍ଶନରେ ଆମେ ଗ୍ରାମ ପଞ୍ଚାୟତ ଗୁଡ଼ିକୁ ଜନକଲ୍ୟାଣର ଓ ଲୋକସେବାର କେନ୍ଦ୍ର ଭାବେ ବିକଶିତ କରୁଛୁ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗୀତାରେ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।
ଏହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୁଡ଼ିକରେ ସରପଞ୍ଚ, ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର, ଜୁନିଅର ଇଞ୍ଜିନିୟର, ଗ୍ରାମ ରୋଜଗାର ସେବକ ଓ ଏକାଉଣ୍ଟେଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟରମାନଙ୍କ ପାଇଁ ସ୍ୱତନ୍ତ୍ର ରୁମ୍ ରହିବ। ଅର୍ଥାତ ପଞ୍ଚାୟତର ସମସ୍ତ ସେବା ଗୋଟିଏ ଜାଗାରେ ହିଁ ମିଳିବ। ଏହି କାର୍ଯ୍ୟାଳୟ ଗୁଡିକ ୱାନ ଷ୍ଟପ ସର୍ଭିସ ସେଣ୍ଟର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।