
ଭୁବନେଶ୍ୱର:୨୨/୧୦- ବିଜେପି ନେତା ଓ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପଚରାଉଚରା କରାଯାଇଛି। ବିକ୍ରମ ପଣ୍ଡାଙ୍କୁ ପୋଲିସ ତାଙ୍କ ଘରୁ ଉଠାଇ ନେଇ ପଚରା ଉଚୁରା ଚଳାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଅନ୍ୟ ଥାନା ଅଧିକାରୀଙ୍କ ସହ ନିଜେ ଏସପି ତାଙ୍କୁ ଘରୁ ଡାକି ନେଇଥିଲେ। ପୂର୍ବରୁ ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିଜେଡି ସଦସ୍ୟ ମଦନ ଦଳେଇ ଓ ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କୁ ପୋଲିସ ପଚରା ଉଚରା କରିବା ପାଇଁ ଡାକି ନେଇଥିଲା। ସେହିପରି ପୂର୍ବତନ ମେୟରଙ୍କ ସହଯୋଗୀ କୁହାଯାଉଥିବା ଦୁଇଜଣଙ୍କୁ ମଧ୍ୟ ପୋଲିସ ଉଠାଇନେଇଛି । ପୋଲିସ ହେପାଜତରେ ଏବେ ୪ ଜଣ ରାଜନେତା ଅଛନ୍ତି।
ହତ୍ୟାକାରୀ ସାର୍ପ ସୁଟର ଚିଣ୍ଟୁକୁ ପୋଲିସ ବେଙ୍ଗାଲୁରୁରୁ ଧରି ନେଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ମଧ୍ୟ ପୋଲିସକୁ ମିଳିଛି। ହତ୍ୟାକାଣ୍ଡ ଘଟାଇବା ପରେ ହତ୍ୟାକାରୀ ଫେରାର ହୋଇଥିଲା। ସେ ପୁରୀ ବେଳାଭୂମିର ବାଲି ଭିତରେ ବନ୍ଧୁକ ପୋତି ଦେଇଥିଲା। ବନ୍ଧୁକ ମିଳିବା ପରେ ପୁରୀରେ ହତ୍ୟାକାରୀର ଅନ୍ୟତମ ସହଯୋଗୀ ରହିଥିବା ପୋଲିସ ଅନୁମାନ କରୁଛି। ବିକ୍ରମ ପଣ୍ଡାଙ୍କୁ ପୋଲିସ ଉଠାଇ ନେବା ପ୍ରତିବାଦରେ ବହୁ କର୍ପୋରେଟର, ଓକିଲ, ବିଜେଡି କର୍ମୀ, ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଗଞ୍ଜାମ ଓକିଲ ସଙ୍ଘ ସଭାପତି ମନୋଜ ପଟ୍ଟନାୟକ ପ୍ରମୁଖ ତାଙ୍କ ଘରେ ପହଞ୍ଚିଥିଲେ । ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାକୁ ୧୬ ଦିନ ହେଲାଣି। ପୋଲିସ ପ୍ରାୟ ଶହେରୁ ଅଧିକ ଲୋକଙ୍କୁ ଧରି ନେଇ ପଚରାଉଚରା କରିଛି। ୧୦ଜଣଙ୍କୁ ଅଟକ ରଖି ଜେରା କରିଛି।