
ଭୁବନେଶ୍ୱର:୨୪/୧୦-ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗ ଦ୍ୱାରା ଆୟୋଜିତ ଦୁଇଦିନିଆ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ-୨୦୨୫ ରାଜ୍ୟବ୍ୟାପୀ ସ୍ଥାୟୀ ଏବଂ ଲୋକ-କୈନ୍ଦ୍ରିକ ସହର ନିର୍ମାଣ କରିବା ଲାଗି ଏକ ସାମୂହିକ ସଂକଳ୍ପ ସହିତ ସମାପ୍ତ ହୋଇଛି। ଏହି ଅବସରରେ ଉଦବୋଧନ ଦେଇ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ରାଉରକେଲା ଏବଂ ଭୁବନେଶ୍ୱରକୁ ବିଶ୍ୱର ଶ୍ରେଷ୍ଠ ୧୦୦ଟି ସହର ମଧ୍ୟରେ ସ୍ଥାନିତ କରିବା ପାଇଁ ଓଡ଼ିଶାର ଦୂରଦୃଷ୍ଟି ବିଷୟରେ ବର୍ଣ୍ଣନା କରିଥିଲେ। ସେ ରାଜ୍ୟର ଦୀର୍ଘମିଆଦୀ ବିକଶିତ ଓଡ଼ିଶା–୨୦୩୬ ଏବଂ ବିକଶିତ ଭାରତ–୨୦୪୭ର ଲକ୍ଷ୍ୟ ହାସଲ କରିବା ପାଇଁ ବେସରକାରୀ ପୁଞ୍ଜିନିବେଶ, ସ୍ମାର୍ଟ ସିଟି ଅଭିଜ୍ଞତାକୁ ଉପଯୋଗ କରିବା ଏବଂ ମାନବ ଓ ବୈଷୟିକ ସମ୍ବଳକୁ ସର୍ବାଧିକ ଉପଯୋଗ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ସଂପୃକ୍ତ ଅଧିକାରୀ ଏବଂ ସହରାଞ୍ଚଳ କର୍ମୀମାନଙ୍କୁ ସହଯୋଗ ଏବଂ ସାମୂହିକ ଭାବନା ସହିତ କାର୍ଯ୍ୟ କରିବାକୁ, ପ୍ରକଳ୍ପଗୁଡ଼ିକର ପ୍ରଭାବୀ କାର୍ଯ୍ୟକାରିତା ଏବଂ ବିଭାଗୀୟସ୍ତର ସହିତ ଘନିଷ୍ଠ ସମନ୍ୱୟ ମାଧ୍ୟମରେ ଉନ୍ନତ ସେବା ପ୍ରଦାନ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି।

ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡ଼ାକୁଆ ବିଭାଗୀୟ ପ୍ରାଥମିକତା ଏବଂ ପ୍ରମୁଖ କାର୍ଯ୍ୟକ୍ରମ ଯଥା ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା (ଏମ୍.ଏସ୍.ବି.ୱାଇ.), ଅମୃତ, ପଦଚାରୀ ପଥ ବିକାଶ ଏବଂ ନିଜସ୍ୱ ରାଜସ୍ୱକୁ ସୁଦୃଢ଼ କରିବା ଉପରେ ଆଲୋକପାତ କରିଥିଲେ। ଯାହା ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଭିତ୍ତିଭୂମି, ଗତିଶୀଳତା ଏବଂ ଆର୍ଥିକ ସ୍ଥାୟୀତ୍ୱକୁ ଉନ୍ନତ କରିବା ଲକ୍ଷ୍ୟରେ କରାଯାଇଛି। ଏହି କନକ୍ଲେଭରେ ସହରାଞ୍ଚଳ ଆବାସ, ପାନୀୟଜଳ ଯୋଗାଣ, ପରିମଳ ଏବଂ ଭିତ୍ତିଭୂମି ବିକାଶ ଉପରେ ବିଷୟଭିତ୍ତିକ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସେଠାରେ ପିଏମଏୱାଇ-ୟୁ, ସୁଜଲ ମିଶନ, ଏସବିଏମ (ୟୁ) ଏବଂ ଗାରିମା ଅଧୀନରେ ସର୍ବୋତ୍ତମ ଅଭ୍ୟାସ ପ୍ରଦର୍ଶିତ ହୋଇଥିଲା। ସ୍ୱଚ୍ଛ, ସବୁଜ ଏବଂ ଅଧିକ ଅନ୍ତର୍ଭୁକ୍ତ ସହରଗୁଡ଼ିକୁ ପ୍ରୋତ୍ସାହିତ କରୁଥିବା ଅଭିନବ ଅଭ୍ୟାସ ପାଇଁ ଉତ୍କୃଷ୍ଟ ୟୁଏଲବି ଏବଂ ଅଧିକାରୀମାନଙ୍କୁ ସମ୍ମାନିତ କରାଯାଇଥିଲା।
ଅଭିନବତ୍ୱ, ନାଗରିକ ଭାଗିଦାରୀ ଏବଂ ସ୍ଥାୟୀ ସହରାଞ୍ଚଳ ଶାସନ ମାଧ୍ୟମରେ ଏକ ଜୀବନ୍ତ ସହରାଞ୍ଚଳ ଓଡ଼ିଶା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସମସ୍ତ ହିତାଧିକାରୀଙ୍କ ନୂତନ ପ୍ରତିବଦ୍ଧତାରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା।