ଭୁବନେଶ୍ୱର:୨/୧୧- ସୁଭଦ୍ରା ଶକ୍ତି ମେଳାର ଦ୍ୱିତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ସନ୍ଧ୍ୟାରେ ଉଦଘାଟନ କରିଛନ୍ତି। ମେଳାର ପ୍ରମୁଖ ଆକର୍ଷଣ ମଧ୍ୟରେ ରହିଛି ୩୦୦ ମହିଳା ସ୍ୱୟଂ-ସହାୟକ ଗୋଷ୍ଠୀ ପରିଚାଳିତ ଷ୍ଟଲ। ଯାହା ମଧ୍ୟରୁ ୫୦ଟି ହେଉଛି ଖାଦ୍ୟ ଷ୍ଟଲ। ଏତଦବ୍ୟତୀତ ଅନ୍ୟ ଏଗାରଟି ରାଜ୍ୟର ସ୍ୱୟଂ-ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପାଦ ବିକ୍ରୟ କରୁଛନ୍ତି। ସୁଭଦ୍ରା ଶକ୍ତି ମେଳା କେବେଳ ଓଡ଼ିଶା ରାଜ୍ୟ ମଧ୍ୟରେ ସୀମିତ ନରହି ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ ହୋଇପାରିଛି। ଉଦଘାଟନ ଉତ୍ସବର ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ଦ୍ୱିତୀୟ ଦିବସ ପ୍ରାରମ୍ଭରେ ସମ୍ବଲପୁରୀ ନୃତ୍ୟ, କୃଷ୍ଣଲୀଳା ଗୀତିନାଟ୍ୟ ପରିବେଷଣ କରାଯାଇଥିଲା। ଏହାପରେ ସ୍ୱୟଂ ପାଢୀ ଏବଂ ଦଳ ସଙ୍ଗୀତ ମାଧ୍ୟମରେ ଦର୍ଶକଙ୍କୁ ମୁଗ୍ଧ କରିଥିଲେ। ଷ୍ଟଲରେ ଗ୍ରାହକଙ୍କ ଭିଡ଼ ସହିତ ସ୍ୱୟଂ-ସହାୟକ ଗୋଷ୍ଠୀ ମାଆମାନଙ୍କ ହାତ ତିଆରି ଉତ୍କୃଷ୍ଟ ଗୁଣବତ୍ତାର ସାମଗ୍ରୀ ପ୍ରତି ଆଗ୍ରହ ବଢୁଥିବା ଦେଖା ଯାଇଛି। ଶିଶୁଙ୍କ କ୍ରୀଡ଼ାଙ୍ଗନରେ ବହୁତ ଗହଳି ସହିତ ଖାଦ୍ୟ ପ୍ରାଙ୍ଗଣର ମଜା ନେଇଥିଲେ ଦର୍ଶକ।
ଲାଇଭ ଡେମୋ ଷ୍ଟଲ ଅଞ୍ଚଳରେ, ବିଶେଷ କରି ବିୟୁଟି ଓ ୱେଲନେସ ଷ୍ଟଲରେ ଦର୍ଶକଙ୍କ ଗହଳି ଦେଖିବାକୁ ମିଳିଥିଲା। ପ୍ରଥମ ଦିନରେ ମେଳାରେ ୫୦ ଲକ୍ଷରୁ ଟଙ୍କାରୁ ଅଧିକ ବ୍ୟବସାୟ ରେକର୍ଡ କରାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଅଗ୍ନିଶମ, ରେଡ଼କ୍ରସ, ମେଡ଼ିକାଲ, ପାନୀୟ ଜଳ, ସ୍ୱଚ୍ଛତାର ବ୍ୟବସ୍ଥା ହୋଇଥିଲା। ସ୍ୱୟଂ-ସହାୟକ ଗୋଷ୍ଠୀ ମା’ ମାନଙ୍କ ଦ୍ୱାରା ପ୍ରଦର୍ଶିତ ଲାଖ ଚୂଡ଼ି ପ୍ରସ୍ତୁତି, ଧାନ ହସ୍ତଶିଳ୍ପ, ସବାଇ ଘାସ କଳା ଏବଂ ପଟ୍ଟଚିତ୍ର ଆଦି ପ୍ରଦର୍ଶନ ଦର୍ଶକମାନଙ୍କୁ ମୁଗ୍ଧ କରିଥିଲା। ଏହି ଷ୍ଟଲ ଗୁଡିକରେ ଦର୍ଶକମାନେ ଉତ୍ପାଦ ଗୁଡିକର ପ୍ରସ୍ତୁତ ପ୍ରଣାଳୀର ଜୀବନ୍ତ ପ୍ରଦର୍ଶନ ଦେଖିବାକୁ ପାଇଥିଲେ। ବିଶ୍ୱ ଦକ୍ଷତା କେନ୍ଦ୍ର ଆନୁକୁଲ୍ୟରେ ଆୟୋଜିତ ବିୟୁଟି ଓ ୱେଲନେସ ଷ୍ଟଲରେ ମହିଳାମାନଙ୍କ ପାଇଁ ନିପୁଣ ତାଲିମାର୍ଥୀମାନଙ୍କ ଦ୍ୱାରା ମେକଅପ୍, ହେୟାର ଷ୍ଟାଇଲ, ନେଲ କେୟାରର ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିଲା। ବୁଣାକାର ସେବା କେନ୍ଦ୍ର ଆନୁକୁଲ୍ୟରେ ଆୟୋଜିତ ହସ୍ତତନ୍ତ ଷ୍ଟଲରେ ପାରମ୍ପରିକ ପ୍ରଣାଳୀରେ ବୁଣା କାର୍ଯ୍ୟର ଜୀବନ୍ତ ପ୍ରଦର୍ଶନୀ ଦର୍ଶକଙ୍କୁ ମୋହିଥିଲା। ଦର୍ଶକମାନେ ନିଜ ମନପସନ୍ଦର ଲାଇଭ୍ ଡେମୋ ଷ୍ଟଲରେ ଦକ୍ଷ କାରିଗରଙ୍କ ମାର୍ଗଦର୍ଶନରେ ନିଜ ହାତ ଚାଳନର ସୁବର୍ଣ୍ଣ ସୁଯୋଗକୁ ଉପଭୋଗ କରିଥିଲେ। ଆସନ୍ତା ୧୨ ତାରିଖ ଯାଏ ଏହି ଉତ୍ସାହ ଜାରି ରହିବ। ଓଡ଼ିଶାର ମହିଳାମାନଙ୍କର ପ୍ରେରଣାଦାୟୀ ଉଦ୍ୟୋଗିତା ଏବଂ ସଶକ୍ତିକରଣର ଏହି ଉତ୍ସବର ଅଂଶବିଶେଷ ହେବା ପାଇଁ ଜନସାଧାରଣଙ୍କୁ ମିଶନ ଶକ୍ତି ବିଭାଗ ପକ୍ଷରୁ ଆମନ୍ତ୍ରଣ କରାଯାଉଛି।