ଭୁବନେଶ୍ୱର:୨୦/୧୧-ଚଳଚ୍ଚିତ୍ର ଆମ ସାମାଜିକ ସାଂସ୍କୃତିକ ଜୀବନର ବାସ୍ତବ ପ୍ରତିଛବି। ଏହାର ସଂରକ୍ଷଣ ଦ୍ୱାରା ଆମ ସ୍ମୃତିରୁ ହଜି ଯାଉଥିବା ଲୋକପ୍ରିୟ ସିନେମା ପୁଣି ଜୀବନ୍ତ ହୋଇଉଠିବ। କଳାଭୂମି ଠାରେ ଅନୁଷ୍ଠିତ ହୋଇଥିବା ୧୦ମ ଚଳଚ୍ଚିତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର କର୍ମଶାଳାର ଉଦଯାପନୀ ଉତ୍ସବରେ ଏହା କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ।ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ, ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ଉତ୍ସ। ଏହାକୁ ସାଇତି ରଖିବା ଦାୟିତ୍ୱ ହେଉଛି ଆମର।

ଓଡ଼ିଶା ସରକାର ଓ ଫିଲ୍ମ ହେରିଟେଜ ଫାଉଣ୍ଡେସନ ମଧ୍ୟରେ ରାଜ୍ୟ ଚଳଚ୍ଚିତ୍ର ଅଭିଲେଖାଗାର ପ୍ରତିଷ୍ଠା ନେଇ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସଚିବ ଗୁହା ପୁନମ ତାପସ କୁମାର ଏବଂ ଫିଲ୍ମ ହେରିଟେଜ ଫାଉଣ୍ଡେସନର ନିର୍ଦ୍ଦେଶକ ଶିବେନ୍ଦ୍ର ସିଂ ଡୁଙ୍ଗରପୁର ଏହି ଏମ୍ଓୟୁରେ ସ୍ୱାକ୍ଷର କରିଥିଲେ।
ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ, ଇଣ୍ଟରନ୍ୟାସନାଲ୍ ଫେଡେରେସନ ଅଫ ଫିଲ୍ମ ଆରକାଇଭସ ଓ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମିଳିତ ସହଯୋଗରେ ଏହି ୧୦ମ ଚଳଚ୍ଚିତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର କର୍ମଶାଳା ନଭେମ୍ବର ୧୨ ତାରିଖଠାରୁ ଆୟୋଜନ ହୋଇଥିଲା। ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ, କଳାଭୂମିଠାରେ ଆରମ୍ଭ ହୋଇଥିବା କର୍ମଶାଳାଶେଷ ହୋଇଛି। କର୍ମଶାଳାରେ ଯୋଗ ଦେଇଥିବା ସମସ୍ତ ୫୯ଜଣ ଅଂଶଗ୍ରହଣକାରୀଙ୍କୁ ସାର୍ଟିଫିକେଟ ଏବଂ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା।