-୧୨ ଟି ବିଭାଗରେ ୭,୨୯୩ ଜଣଙ୍କୁ ନିଯୁକ୍ତି
-ସତର ମାସରେ ଚାକିରି ପାଇଛନ୍ତି ୩୭,୩୨୫ଜଣ
ଭୁବନେଶ୍ୱର:୨୫/୧୧-ଆପଣମାନେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସାଧୁତାପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଜରିଆରେ ସରକାରୀ ଚାକିରୀ ଯୋଗ ଦେଉଛନ୍ତି। ତେଣୁ ଆପଣଙ୍କ କର୍ତ୍ତବ୍ୟପଥରେ ସାଧୁତା ଓ ସ୍ୱଚ୍ଛତା ଅବଲମ୍ୱନ କରିବା ପାଇଁ ସଂକଳ୍ପବଦ୍ଧ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଆୟୋଜିତ ଦ୍ୱାଦଶ ନିଯୁକ୍ତିମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ-୨୦୨୫ ଅବସରରେ ନବନିଯୁକ୍ତମାନଙ୍କୁ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ୧୨ଟି ବିଭାଗରେ ସମୁଦାୟ ୭୨୯୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ବିଭାଗ ଗୁଡ଼ିକ ମଧ୍ୟରେ ଗୃହ ବିଭାଗରେ ୧୯୭୯ ଜଣ କନେଷ୍ଟବଳ ଓ ୩୮୬ ଜଣ ଡ୍ରାଇଭର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୧୯୧୩ ଜଣ ସ୍ନାତକ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ୨୪୧ ଜଣ ପିଜିଟି, ଉଚ୍ଚଶିକ୍ଷା ବିଭାଗରେ କନିଷ୍ଠ ସହାୟକ, ୭ ଜଣ ପିଇଟି ଏବଂ ୩୧ ଜଣ ଲାବରେଟୋରୀ ଆସିଷ୍ଟାଣ୍ଟ କମ୍ ଷ୍ଟୋର କିପର, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗରେ ୨୪ ସହକାରୀ ମତ୍ସ୍ୟ ଅଧିକାରୀ ଏବଂ ୬୪୮ ଜଣ ପ୍ରାଣୀଧନ ନିରୀକ୍ଷକ, ସୂଚନା ଓ ଲୋକସମ୍ପର୍କ ବିଭାଗରେ ୩୯ ଜଣ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଖଣି ଓ ଭୂ-ତତ୍ତ୍ୱ ନିର୍ଦ୍ଦେଶାଳୟରେ ୧୪ ଜଣ କନିଷ୍ଠ ରସାୟନବିତ୍, ବାଣିଜ୍ୟ ଓ ପରିବହନ ବିଭାଗରେ ୧୭ ଜଣ କନିଷ୍ଠ ଷ୍ଟେନୋଗ୍ରାଫର, ଜଙ୍ଗଲ ଓ ପରିବେଶ ବିଭାଗରେ ୧୫୦୪ ଜଣ ଫରେଷ୍ଟଗାର୍ଡ ଓ ୨୪୬ ଜଣ ଫରେଷ୍ଟର, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୭ ଜଣ ସହକାରୀ କୃଷି ଅଧିକାରୀ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗରେ ୧୫ ଜଣ ପାରାମେଡିକ୍ ଷ୍ଟାଫ, ଜଳସମ୍ପଦ ବିଭାଗରେ ୩୬ ଜଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏହାସହିତ ପ୍ରଥମଥର କରି ଆଡଭୋକେଟ ଜେନେରାଲ ଅଫିସ ପାଇଁ ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୪୦ ଜଣ ଷ୍ଟେନୋଗ୍ରାଫର ନିଯୁକ୍ତି ପାଇଛନ୍ତି।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ଠାରେ ଉପସ୍ଥିତ ନବନିଯୁକ୍ତଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମେ ରାଜ୍ୟର ଯୁବବର୍ଗଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ସୃଷ୍ଟି ପାଇଁ ଭରଷା ଦେଇଥିଲୁ, ଆମେ ନିୟମିତ ଭାବେ ନିଯୁକ୍ତିମେଳା ଆୟୋଜନ କରି ଆମ କଥା ରଖୁଛୁ। ପ୍ରଥମରୁ ଏଥିପାଇଁ ଆମେ ଉଦ୍ୟମ ଆରମ୍ଭ କରି ୨ ବର୍ଷ ଭିତରେ ୬୫ ହଜାର ସରକାରୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଆମର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ୧୭ ମାସ ଭିତରେ ଆଜିକୁ ମିଶାଇ ୧୨ ଟି ନିଯୁକ୍ତିମେଳା ଜରିଆରେ ଆମେ ୩୭,୩୨୫ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛୁ। ଏତେ ସଂଖ୍ୟାରେ ସରକାରୀ ପଦ ପଦବୀରେ ନିଯୁକ୍ତି ଏତେ କମ୍ ଦିନ ଭିତରେ ଆଗରୁ କେବେ ହୋଇନାହିଁ। ଆମ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି, ତେଣୁ ଆପଣମାନେ ଦୁର୍ନୀତିକୁ ବିଷ ମନେକରି ତାଠୁ ଯେତେ ଅଧିକ ସମ୍ଭବ ଦୂରରେ ରୁହନ୍ତୁ, ନଚେତ୍ ଏହା ନିଜ ପାଇଁ ଓ ନିଜ କ୍ୟାରିଅର ପାଇଁ ଅତ୍ୟନ୍ତ ବିପଦଜନକ ହେବ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନେ ଉପସ୍ଥିତ ଥିଲେ।