ଭୁବନେଶ୍ୱର:୨୫ /୧୧-ପଞ୍ଚମ ଜାତୀୟ ଅଡିଟ ସପ୍ତାହ ପାଳନ ଅବସରରେ ଆଜି ଦେଶର ପ୍ରଥମ ଅଡିଟ ଅଦାଲତ ଓଡ଼ିଶାର ପ୍ରଧାନ ମହା ଲେଖାକାର ଅଡିଟ-୧ ସୁବୁ. ଆରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଅଛି। ଓଡିଶା ସରକାରଙ୍କ ଛଅଟି ବିଭାଗ- ମହିଳା ଏବଂ ଶିଶୁ ବିକାଶ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଅବକାରୀ ଏବଂ ଗ୍ରାମୀଣ ବିକାଶ ସହିତ ଜଡିତ ଦୀର୍ଘକାଳୀନ ଯାଞ୍ଚ ରିପୋର୍ଟ ପାରାଗୁଡ଼ିକୁ ସମୀକ୍ଷା ଏବଂ ସମ୍ପୃକ୍ତ ବିଭାଗ ଦ୍ୱାରା ତଦାରଖ କରିବା ପାଇଁ ଏକ ଅଡିଟ ଅଦାଲତ ଆୟୋଜନ କରାଯାଇଥିଲା।

ଏହି ଅଦାଲତରେ ଉପ ମହାଲେଖାକାର ଅଡିଟ ବେନୋଥ ରାକେଶ ନାୟକ ଏବଂ ବିମଲେଶ କୁମାର ସଂଯୋଜନା କରିଥିଲେ। ଅଡିଟ ଅଦାଲତର ଉଦ୍ଦେଶ୍ୟ ଥିଲା ସମ୍ପୃକ୍ତ ବିଭାଗ ସହିତ ଜଡିତ ପୁରୁଣା ଆଇଆର ପାରାଗୁଡ଼ିକୁ ତଦାରଖ କରିବା ପାଇଁ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତରଣ କରିବା। ଯାହା ଦ୍ୱାରା ବିଭାଗୀୟସ୍ତରରେ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ନିଆଯାଇପାରିବ। ବିଭାଗଗୁଡ଼ିକୁ ସମୟୋଚିତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା, ଆଭ୍ୟନ୍ତରୀଣ ନିୟନ୍ତ୍ରଣକୁ ସୁଦୃଢ଼ କରିବା ଏବଂ ବାକି ଥିବା ଅଡିଟ ପାରାଗୁଡିକ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଥିଲା। ଅଡିଟ ଅଦାଲତ ସମୟରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ଭାରତର ମହା ଲେଖାନିୟନ୍ତ୍ରକ ଏବଂ ମହା ସମୀକ୍ଷକ ଏକ ନୂତନ ପଦକ୍ଷେପ ମାଧ୍ୟମରେ ବର୍ଷ ବର୍ଷ ଧରି ପଡିରହିଥିବା ପୁରୁଣା ଅଡିଟ ପାରା ଗୁଡିକ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପାରିବ ବୋଲି କହିଥିଲେ। ନୂତନ ଭାବେ ପ୍ରସ୍ତୁତ କରାଯାଇ ଥିବା ସଫ୍ଟୱାର ବିଷୟରେ ମଧ୍ୟ ଅବଗତ କରାଯାଇଥିଲା। ଏହି ନୂତନ ଆପ୍ଲିକେସନ ଅଡିଟ ଅନୁସରଣ ପ୍ରକ୍ରିୟାଗୁଡ଼ିକର ଦକ୍ଷତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ଏବଂ ବର୍ତ୍ତମାନ ଚାଲୁଥିବା ସିଷ୍ଟମର ସ୍ଥାନ ନେବ। ଏଣିକି ପ୍ରତି ମାସ ୨୫ ତାରିଖରେ ଅନଲାଇନ ସିଏଜି କନେକ୍ଟ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗ ଅଡିଟ ପାରା ସମ୍ବନ୍ଧରେ ଏଜିକୁ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ସୂଚନା ପ୍ରଦାନ କରିବେ। ଏହି ଅଦାଲତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍., ପୋମା ଟୁଡୁ, ସ୍ୱତନ୍ତ୍ର ସଚିବ ବିଜୟ କୁମାର ମହାପାତ୍ର, ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଯାମିନି ଷଡ଼ଙ୍ଗୀ ଓ ଛଅଟି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଅଡିଟ ପାରାର ତ୍ରୁଟି, ବିଚ୍ୟୁତି ଏହାର ସମାଧାନ ଉପରେ ନିଜର ମତାମତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଧାନ ମହା ଲେଖାକାରଙ୍କ ସଚିବ ଶ୍ରୀମନ୍ତ କୁମାର ପଣ୍ଡା, ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ ଉପେନ୍ଦ୍ର ନାରାୟଣ ଦାସ, ସୁକାନ୍ତି ପ୍ରଭା ଦାସ, ପ୍ରିୟଦର୍ଶନ କାନୁନଗୋ ଓ ଅନ୍ୟମାନେ ପରିଚାଳନା କରିଥିଲେ।