
ଭୁବନେଶ୍ୱର:୨୭/୧୧-ଓଡ଼ିଶା ବିଧାନସଭା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଗୁରୁବାର ଅପରାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିଛନ୍ତି। ସେ ବିଧାନସଭାରେ ତାଙ୍କର ସଦସ୍ୟତା ସମ୍ପର୍କରେ କହିବା ସହ ଭବିଷ୍ୟତ ଭାରତ ଗଠନ ଉପରେ ଅନେକ ପରାମର୍ଶ ଦେଇଛନ୍ତି। ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ତଥା ଓଡିଶା ବିଧାନସଭାର ପୂର୍ବତନ ବିଧାୟିକା ଓ ମନ୍ତ୍ରୀ ଶ୍ରୀମତୀ ମୁର୍ମୁ ଓଡିଶା ବିଧାନସଭାରେ ଅଭିଭାଷଣ ଦେଇ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ବିକାଶର ବାର୍ତ୍ତା ଦେଇଥିଲେ। ରାଷ୍ଟ୍ରପତି ଗୃହକୁ ସମ୍ବୋଧିତ କରି ନିଜ ପୁରୁଣା ଦିନର ସ୍ମୃତି ଚାରଣ କରି ଭାବବିହ୍ୱଳ ହୋଇପଡିଥିଲେ।

ନମସ୍କାର, ଜୁହାର, ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି। କହିଥିଲେ, ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବା ମୋ ପାଇଁ ଖୁସିର ବିଷୟ। ମୋତେ ଆଜି ଘରକୁ ଫେରିଲା ପରି ଲାଗୁଛି। ଏହି ଗୃହ ମୋତେ ସବୁକିଛି ଶିଖାଇଛି। ରାଇରଙ୍ଗପୁର ବିଧାୟିକା ଭାବେ ନିର୍ବାଚିତ ହୋଇ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସେ ଏହି ବିଧାନସଭାର ସଦସ୍ୟା ଥିଲେ। ଏହି ବିଧାନସଭା ତାଙ୍କ ପାଇଁ କେବଳ ଏକ ଗୃହ ନୁହେଁ ଏହା ତାଙ୍କର ମାଆ ଭଳି। ଏଠାରୁ ଶିଖିଥିବା ଅନୁଶାସନ ଓ ଶିକ୍ଷା ତାଙ୍କୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚାଇ ପାରିଛି। ଗଣତନ୍ତ୍ରରେ ବିରୋଧାଭାସ ରହିପାରେ କିନ୍ତୁ ଶତ୍ରୁତା ରହିବା ଉଚିତ ନୁହେଁ। ଆପଣମାନଙ୍କ ଆଚରଣ ଓ ଉଚ୍ଚାରଣ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଉଚିତ। ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାକୁ ସେ ପ୍ରଶଂସା କରିଥିଲେ।

ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ ପ୍ରାରମ୍ଭିକ ଅଭିଭାଷଣ ରଖିଥିବା ବେଳେ ରାଜ୍ୟପାଳ ହରିବାବୁ କମ୍ଭମପାଟ୍ଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ,ସାଂସଦ, ପୂର୍ବତନ ବିଧାୟକ ଓ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ରାଜ୍ୟ ସରକାର ଓ ରାଷ୍ଟ୍ରପତି ଭବନର ଅଧିକାରୀମାନେ ଉପସ୍ଥିତ ଥିଲେ।