
ଭୁବନେଶ୍ୱର:୨୮/୧୧-ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ୨୦୨୫-୨୬ ଆର୍ôଥକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଏଥିପାଇଁ ମୋଟ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି। ଏଥିରେ ପ୍ରଶାସନିକ ବ୍ୟୟ ବାବଦରେ ଅତିରିକ୍ତ ୩,୩୮୯ କୋଟି ଟଙ୍କା ରଖାଯାଇଥିବା ବେଳେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ସର୍ବାଧିକ୧୩,୭୧୬କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ୧୭୧କୋଟି, ଏବଂ ରାଜ୍ୟ ବଜେଟରୁ ୧୬୪କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି।ଏଥିରୁ କେନ୍ଦ୍ରୀୟ ଯୋଜନାରେ ୨୦୫୪କୋଟି ଏବଂ ରାଜ୍ୟ ଯୋଜନାରେ ୧୧,୬୪୩କୋଟି ଟଙ୍କା ଖର୍ଚ୍ଚ ହେବ। ଖାଲି ପଡ଼ିଥିବା ତ୍ରିସ୍ତରୀୟ ପଞ୍ଚାୟତିରାଜର ଆସନଗୁଡ଼ିକ ପାଇଁ ନିର୍ବାଚନ କରି ଚଳିତ ଆର୍ଥିକବର୍ଷ ଶେଷ ସୁଦ୍ଧା ସେସବୁ ପୂରଣ କରିବାକୁ ଲକ୍ଷ୍ୟ ରଖି ଅତିରିକ୍ତ ବଜେଟରେ ୪୨କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।




୨୦୨୫-୨୬ ଆର୍ôଥକ ବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ବଜେଟ ୨୦୨୫ ମାର୍ଚ୍ଚ ୨୯ତାରିଖରେ ଗୃହର ଅନୁମୋଦନ ଲାଭ କରିଥିଲା। ବିଭିନ୍ନ କାରଣରୁ ଅତିରିକ୍ତ ବଜେଟର ଆବଶ୍ୟକତା ଉପୁଜିଥିବା ବଜେଟ ପୁସ୍ତିକାରେ ଦର୍ଶାଯାଇଛି। ରାଜ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଓ ନୂଆ ଯୋଜନାଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଏବଂ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କେନ୍ଦ୍ରୀୟ ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡ଼ିକ ପାଇଁ ପାଣ୍ଠିର ଆବଶ୍ୟକତା ଦେଖାଦେଇଛି। ସେହିପରି ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମକୁ ଫେରସ୍ତ ଓ ବିଭିନ୍ନ ପ୍ରଶାସନିକ ବ୍ୟୟବରାଦରେ ଲେଖା ସଂଶୋଧନ ପାଇଁ ଏହି ୧୭,୪୪୦କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦର ଆବଶ୍ୟକତା ଥିବା ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ବଜେଟ ପୁସ୍ତିକାରେ ଉଲ୍ଲେଖ କରିଛନ୍ତି।