ଭୁବନେଶ୍ୱର:୨/୧୨-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକର ଆଲୋଚନାରୁ ଜଣାପଡିଛି ଯେ, ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ରାଜ୍ୟର ୧୧ ଟି ଡ଼ି.ଏମ.ଏଫ ଜିଲ୍ଲାରୁ ସମୁଦାୟ ୩୪,୦୫୨ କୋଟି ଟଙ୍କା ଆଦାୟ ହୋଇଛି ଏବଂ ପ୍ରାୟ ୫୫ ପ୍ରତିଶତ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଖର୍ଚ୍ଚକୁ ବୃଦ୍ଧି କରି ଲୋକଙ୍କୁ ମୌଳିକ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ସହିତ ୧୦ ଟି ଜିଲ୍ଲାରେ ଡିଏମଏଫ ପୁନଃ ଗଠନ ହେବା ପରେ ଟ୍ରଷ୍ଟ ବୋର୍ଡ ମିଟିଂ ହୋଇ ସାରିଥିବା ଜଣାଯାଇଛି।

ବୈଠକରେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବଙ୍କୁ ପ୍ରତ୍ୟେକ ଡିଏମଏଫର ଅଡିଟ ରିପୋର୍ଟ ସହିତ ବାର୍ଷିକ ରିପୋର୍ଟ ଦାଖଲ କରିବା ଏବଂ ଲଘୁ ଖଣିଜ ପଦାର୍ଥରୁ ସଂଗୃହୀତ ଡିଏମଏଫ ପାଣ୍ଠିକୁ ସେହି ଜିଲ୍ଲାର ଯେକୌଣସି ସ୍ଥାନରେ ବ୍ୟବହାର କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହି ପାଣ୍ଠିକୁ ସେହି ସ୍ଥାନର ମୌଳିକ ଆବଶ୍ୟକତା ଯଥା – ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଯୋଗାଣ, ଗମନାଗମନ ଆଦି ବ୍ୟବସ୍ଥାରେ ଖର୍ଚ୍ଚ କରିବା ପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଖଣି ଅଞ୍ଚଳର ନିକଟବର୍ତ୍ତୀ ସ୍ଥାନ ଗୁଡ଼ିକରେ ଲୋକଙ୍କୁ ସମ୍ପୂର୍ଣ୍ଣ ମୌଳିକ ସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଡିଏମଏଫ ଟ୍ରଷ୍ଟବୋର୍ଡ ବୈଠକ ଡକାଯାଇ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରାଯିବ। ଡିଏମଏଫ ଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରଭାବିତ ଗ୍ରାମଗୁଡ଼ିକୁ ଚିହ୍ନଟ କରାଯିବ। ଖଣି ଅଂଚଳର ପାର୍ଶ୍ୱବର୍ତ୍ତୀ ଜାଗା ଗୁଡିକରେ ଥିବା ଜନବସତି ଗୁଡିକରେ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ।
ଯେଉଁ ଜିଲ୍ଲାଗୁଡ଼ିକରେ ବାର୍ଷିକ ପାଣ୍ଠି ୧୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ସଂଗ୍ରହ ହେଉଛି, ସେମାନେ ଏକ ଏଣ୍ଡାଓମେଣ୍ଟ ପାଣ୍ଠି ଗଠନ କରିବେ। ଏହି ଏଣ୍ଡାଓମେଣ୍ଟ ପାଣ୍ଠିକୁ ସରକାରୀ ସିକ୍ୟୁରିଟି କିମ୍ବା ଅନୁସୂଚିତ ବ୍ୟାଙ୍କଗୁଡ଼ିକର ବଣ୍ଡ ଏବଂ ଏଫଡିରେ ବିନିଯୋଗ କରାଯିବ। ଖଣିଜ ପଦାର୍ଥ ଶେଷ ହେବା ପରେ କିମ୍ୱା କୌଣସି କାରଣରୁ ଖଣି କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିବା ଅଞ୍ଚଳରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଜୀବିକା ସୃଷ୍ଟି ପାଇଁ ଏହି ପାଣ୍ଠି ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।