
ଭୁବନେଶ୍ୱର:୩/୧୨-ମା’ ରମାଦେବୀ ହେଉଛନ୍ତି ସଂଗ୍ରାମ, ତ୍ୟାଗ, ସାଂପ୍ରଦାୟିକ ସଦ୍ଭାବନା, ମାନବିକତା, ପ୍ରତିବଦ୍ଧତା ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ। ପ୍ରାଚୁର୍ଯ୍ୟରୁ ଆସି ସେ ସରଳତାକୁ ଗ୍ରହଣ କରିଥିଲେ। ଘରକୋଣରୁ ବାହାରି ଜାତୀୟ ଆନ୍ଦୋଳନରେ ସାମିଲ ହୋଇଥିଲେ। ଲବଣ ସତ୍ୟାଗ୍ରହ, ଭାରତଛାଡ଼ ଓ ଅସହଯୋଗ ଆନ୍ଦୋଳନରେ ତାଙ୍କର ଅଗ୍ରଗଣ୍ୟ ଭୂମିକା ଥିଲା। ଜାତିଭେଦର ସଂକୀର୍ଣ୍ଣ ଅର୍ଗଳି ଛିନ୍ନ କରି ଗ୍ରାମ ସ୍ୱରାଜ୍ୟ, ସାମାଜିକ ନ୍ୟାୟର ପ୍ରବକ୍ତା ଭାବରେ ମା’ ରମାଦେବୀ ଦଳିତ, ଅବହେଳିତ ଓ ନିଷ୍ପେସିତ ବର୍ଗଙ୍କ ପାଇଁ ତ୍ରାଣକର୍ତ୍ତା ପାଲଟିଥିଲେ। ଭୂଦାନ ଓ ସର୍ବୋଦୟ କରି ରଚନାତ୍ମକ କାର୍ଯ୍ୟରେ ମନୋନିବେଶ କରିଥିଲେ। ଓଡ଼ିଶାରେ ମହିଳାମାନଙ୍କ ସାମାଜିକ, ରାଜନୈତିକ ଭୂମିକାକୁ ସେ ଉଚ୍ଚତରସ୍ତରକୁ ନେବାରେ ଶକ୍ତିଶାଳୀ ଅବଦାନ ପ୍ରକଟ କରିଥିଲେ। ଲାଞ୍ଛନା, ନିର୍ଯାତନା, ଶୋଷଣ, ଲାଠିମାଡ, ଜେଲବରଣକୁ ଖାତିର ନକରି ମା’ ରମାଦେବୀ ସ୍ୱାଧୀନତା ନିମନ୍ତେ ତାଙ୍କର ଅତୁଳନୀୟ ଅବଦାନ ପ୍ରକଟ କରି ଆମ୍ଭମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।
ମା’ ରମାଦେବୀଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପ ବାଚସ୍ପତି ଭବାନୀଶଙ୍କର ଭୋଇ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ ଓ ଫକୀର ନାୟକ, ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ ଓ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ବିଧାନସଭା ପାର୍ଶ୍ୱବର୍ତ୍ତୀ ମା’ ରମାଦେବୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।