-ସାହିତ୍ୟିକଙ୍କ ପ୍ରତି ପଛ ଗେଟରେ ଅଭଦ୍ରୋଚିତ ବ୍ୟବହାର ଅଭିଯୋଗ
ପୁସ୍ତକ ହେଉଛି ମାନବ ସଭ୍ୟତାର ଅମୂଲ୍ୟ ସମ୍ପଦ: ଯଶୋଧରା

ଭୁବନେଶ୍ୱର:୧୭/୧୨- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପୁସ୍ତକ ମହୋତ୍ସବରେ ୬.୫ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ୧୨ ଦିନ ମଧ୍ୟରେ ବିଭିନ୍ନ ପ୍ରକାଶନ ସଂସ୍ଥା ପକ୍ଷରୁ ୧୦୦ରୁ ଉର୍ଦ୍ଧ୍ୱ ପୁସ୍ତକ ଉନ୍ମୋଚିତ ହୋଇଛି। ସରକାରୀ ପ୍ରେସ ବିବୃତି ଦେଇ ବିଭାଗ କାର୍ଯ୍ୟ ସମ୍ପାଦନ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାହିତ୍ୟିକଙ୍କ ପ୍ରତି ପୁସ୍ତକ ମେଳାର ପଛ ଗେଟରେ କରାଯାଇଥିବା ଅଭଦ୍ରୋଚିତ ବ୍ୟବହାର ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯିବା। ଏଭଳି ବ୍ୟବହାରକୁ ନେଇ ଅନେକ ସାହିତ୍ୟିକ କ୍ଷୋଭ ପ୍ରକାଶ କରିଛନ୍ତି । ଭିତରକୁ ପ୍ରବେଶ କରିବା ପାଇଁ ପାସ ମଧ୍ୟ ମଗାଯାଇଛି । ପାସ କିଏ କିଭଳି ଭାବେ ଦେଉଥିଲେ ତାର ବିଧିବଦ୍ଧ ତଦନ୍ତ ହେବ ଆବଶ୍ୟକ । ବିଭାଗ ଏହାକୁ ଗୁରୁତର ସହ ନେବ ବୋଲି ଆମେ ଆଶା କରୁଛୁ। ଏ ସଂକ୍ରାନ୍ତରେ କେତେଜଣ ଫେସ ବୁକରେ ଟିପ୍ପଣୀ ଦେଇଛନ୍ତି । ଏଭଳି ଅବ୍ୟବସ୍ଥା କାହିଁକି ତାର ଉତ୍ତର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ରଖିବା ଆବଶ୍ୟକ।


ଉଦ୍ଯାପନୀ ସନ୍ଧ୍ୟାରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ସେ କହିଥିଲେ, ପୁସ୍ତକ ମହୋତ୍ସବକୁ ଲେଖକ, ପାଠକ ଓ ପ୍ରକାଶକଙ୍କର ତ୍ରିବେଣୀ ସଙ୍ଗମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁସ୍ତକ ଅଜୟ ଓ ଅମର। ଆମ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାର ଏହି ଅଭିନବ ପ୍ରୟାସ ପାଇଁ ମୁଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ସାଧୁବାଦ ଜଣାଉଛି। ମୁଖ୍ୟବକ୍ତା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଯଶୋଧରା ମିଶ୍ର କହିଥିଲେ, ପୁସ୍ତକ ହେଉଛି ମାନବ ସଭ୍ୟତାର ଅମୂଲ୍ୟ ସମ୍ପଦ। ଏହା ସମାଜର ଦର୍ପଣ। ପୁସ୍ତକ ବିନା ବିକଶିତ ସମାଜର କଳ୍ପନା ମଧ୍ୟ କରିହେବ ନାହିଁ। ଆଜିର ଜଗତୀକରଣ ଓ ଇଣ୍ଟରନେଟ୍ ଯୁଗରେ ପୁସ୍ତକ ନିଜ ପାଇଁ ଏକ ଅନନ୍ୟ ସ୍ଥାନ ସୃଷ୍ଟି କରିପାରିଛି ଏବଂ ଯୁବପିଢ଼ି ମଧ୍ୟ ପୁସ୍ତକ କିଣିବା ଓ ପଢ଼ିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି।

ଉଦ୍ଯାପନୀ ସମାରୋହରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ “ସାମନ୍ତ ଚନ୍ଦ୍ର ଶେଖର ପତ୍ରାବଳୀ”, “ବଳରାମ ଦାସ” “ଶିଶୁ ଅନନ୍ତ ଦାସ”, “ଯଶୋବନ୍ତ ଦାସ”, ଅନୁବାଦ ସାହିତ୍ୟ ପରିଷଦ ତରଫରୁ ସାନ୍ତାଳୀ ଭାଷାରେ ଅନୁଦିତ ପୁସ୍ତକ “ପିଲାଙ୍କ ଚିଠି ଓ ଆଇନ ଷ୍ଟାଇନଙ୍କ ଉତ୍ତର”, “ଲେଡ଼ି ଡ୍ରାଇଭର”, ଶ୍ରୀ ଗୋବିନ୍ଦଙ୍କ ଦ୍ୱାରା ଲିଖିତ ପୁସ୍ତକ “ସ୍ୱାସ୍ଥ୍ୟ ମନ୍ତ୍ର”, ବିଜୟ କୁମାର ଛାଟୋଇଙ୍କ ଲିଖିତ “କବିତାମାଳା”, ପ୍ରଭାତୀ ମିଶ୍ରଙ୍କ ରଚିତ “ଦ ଡ଼ାଇମଣ୍ଡ ଟ୍ରାଇଆଙ୍ଗେଲ”, କନକ ବାଳା ଦାସଙ୍କ ଲିଖିତ “ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ଉପନ୍ୟାସରେ ନାରୀ ଚରିତ୍ର” ଆଦି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିସହ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଚଳିତ ବର୍ଷ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଡିସେମ୍ବର ୬ ରୁ ୧୭ ତାରିଖ ପର୍ୟ୍ୟନ୍ତ ଆୟୋଜିତ ହୋଇଥିଲା। ପୁସ୍ତକ ମହୋତ୍ସବର ମୁଖ୍ୟ ମଞ୍ଚ କବି ରମାକାନ୍ତ ରଥ ମଞ୍ଚ, ଭିତର ମଞ୍ଚ ବାଜି ରାଉତ ମଞ୍ଚ, ମୁଖ୍ୟ ପ୍ରବେଶ ଦ୍ୱାରକୁ ମା’ ରମାଦେବୀ ପ୍ରବେଶ ପଥ ଓ ଭିତର ପ୍ରବେଶ ଦ୍ୱାରକୁ ସନ୍ଥକବି ଭୀମଭୋଇ ପ୍ରବେଶ ପଥ ନାମରେ ନାମିତ କରାଯାଇଥିଲା। ଏଥିସହ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାର ବିଶିଷ୍ଟ ମହିଳା ସ୍ୱାଧୀନତା ସଂଗ୍ରାମୀ ଓ ଲୌହମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ଜୀବନୀ (ସର୍ଦ୍ଦାର@୧୫୦) ଉପରେ ଆଧାରିତ ଦୁଇଟି ଥିମ୍ ପାଭିଲିୟନ ନିର୍ମାଣ କରାଯାଇଥିଲା। ପୁସ୍ତକ ମହୋତ୍ସବରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକ ଭାଗ ନେବା ସହ ୫୫୦ଟି ଷ୍ଟଲ ନିର୍ମାଣ ନିର୍ମାଣ କରାଯାଇଥିଲା। କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସ୍ୱତନ୍ତ୍ର ସଚିବ ଦେବ ପ୍ରସାଦ ଦାଶ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ର ଶେଖର ହୋତା ଉପସ୍ଥିତ ଥିଲେ।

୬ ତାରିଖରେ ଏହାକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଉପସ୍ଥିତ ସାହିତ୍ୟିକ, ଲେଖକ ଓ ପୁସ୍ତକପ୍ରେମୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁସ୍ତକ ସଂଗ୍ରହ ଓ ପଠନ ପ୍ରତି ତାଙ୍କର ବିଶେଷ ରୁଚି ରହିଛି। ଏ ପର୍ଯ୍ୟନ୍ତ ପ୍ରାୟ ୫୦୦୦ ରୁ ୬୦୦୦ ପର୍ଯ୍ୟନ୍ତ ପୁସ୍ତକ ସଂଗ୍ରହ କରି ଲାଇବ୍ରେରୀରେ ରଖିଛନ୍ତି ଏବଂ ସମୟ ପାଇଲେ ତାକୁ ପଢ଼ୁଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀଙ୍କୁ ଆମେ ଏକ ପ୍ରଶ୍ନ ପଚାରିବା ଉଚିତ ମନେ କରୁଛୁ । ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିବା ପରଠାରୁ ତାଙ୍କୁ ରାଜ୍ୟର ଅନେକ ଲେଖକ ପୁସ୍ତକ ଦେଇଛନ୍ତି । ଏଯାବତ ଅନେକ ତାଙ୍କ ନିକଟରୁ ପ୍ରାପ୍ତିସ୍ୱୀକାରଟିଏ ବି ପାଇନଥିବା ଜଣାଯାଇଛି ।