
ଭୁବନେଶ୍ୱର:୨୨/୧୨-ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା କଟକ ମର୍କତ ନଗର ଥାନାରେ ହ୍ୟୁମାନଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯିବାକୁ ଏତଲା ଦେଇଛନ୍ତି। ପୁଅକୁ ନିର୍ଯ୍ୟାତନା ଦିଆଯାଇଥିବା ସେ ଏହି ଏତଲାରେ ଦର୍ଶାଇଛନ୍ତି। ପୁଅର ମୃତ୍ୟୁ ରହସ୍ୟ ଘେରରେ ଥିବାରୁ ଘଟଣାର ନିରପେକ୍ଷ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ସେ ନିବେଦନ କରିିଛନ୍ତି। ପୁଅର ମୃତ୍ୟୁ ପାଇଁ ସେ ୧୦ରୁ ଅଧିକ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି। ମୃତ୍ୟୁ ପଛରେ ସାଂଘାତିକ ଷଡ଼ଯନ୍ତ୍ର ରହିଛି। ଜୀବନ ନେବାକୁ ହ୍ୟୁମାନଙ୍କୁ ବିଷ ଦିଆଯାଇଥିବା ସେ ଆଶଙ୍କା କରିଛନ୍ତି। ମାଆ ଏତଲା ପରେ ହ୍ୟୁମାନଙ୍କ ମୃତ୍ୟୁ ମାମଲା ନୂଆ ମୋଡ଼ ନେଇଛି। ହ୍ୟୁମାନଙ୍କ ମୃତ୍ୟୁର ପ୍ରାୟ ମାସକ ପରେ ଏତଲା ଦେଇ ଅନେକ ଅଭିଯୋଗ ଆଣିଛନ୍ତି। ବୋହୂ ଶ୍ରେୟା ମିଶ୍ର, କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ, ଦୁଇ ମ୍ୟାନେଜରଙ୍କ ସମେତ ପ୍ରାୟ ୧୦ରୁ ଅଧିକ ଲୋକଙ୍କ ନାଁରେ ଏତଲା ଦେଇଛନ୍ତି। ବୋହୂ ଶ୍ରେୟା ମିଶ୍ରଙ୍କ ବିରୋଧରେ ସେ ମାନସିକ ନିର୍ଯାତନା ଅଭିଯୋଗ।

ସେ ଉଲ୍ଲେଖ କରିଛନ୍ତି, ଶ୍ରେୟା ଓ ତାଙ୍କ ପରିବାର ହ୍ୟୁମାନଙ୍କୁ ଦୀର୍ଘ ଦିନ ଧରି ମାନସିକ ନିର୍ଯାତନା ଦେଇ ଆସୁଥିଲେ। ପାରିବାରିକ କଳହ, ମିଥ୍ୟା ଅପବାଦ ଏବଂ ଝିଅକୁ ଦେଖା କରିବାକୁ ନ ଦେବା ଫଳରେ ହ୍ୟୁମାନ ଭାଙ୍ଗି ପଡ଼ିଥିଲେ। ମାନସିକ ଚାପ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା ଶେଫାଳୀ ସୁନା ଦର୍ଶାଇଛନ୍ତି। ମ୍ୟାନେଜର ଦିନେଶ ବେହେରା, ପ୍ରଶାନ୍ତ ବେହେରା, ସୋମେଶ ଶତପଥୀ ଏବଂ ଡାକ୍ତର ଶୁଭେନ୍ଦୁ ମିଶ୍ରଙ୍କ ଭଳି ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ପାଇଁ ସେ ଏତଲାରେ ଉଲ୍ଲେଖ କରିଛନ୍ତି।
ପୁଅ ମୃତ୍ୟୁର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ସେ ସିସିଟିଭି ଫୁଟେଜ, ହ୍ୟୁମାନଙ୍କ ଆର୍ôଥକ କାରବାର, ଡିଜିଟାଲ ପ୍ରମାଣପତ୍ର ଓ ମେଡିକାଲ ରିପୋର୍ଟ ଆଦିର ଯାଞ୍ଚ ପାଇଁ ଦାବି କରିଛନ୍ତି। ବିଏନଏସ ଧାରା ୩୫୬(୨) ୩୫୧(୨),୩(୫),୧୧୫(୨),୩୧୮(୪),୬୧ ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ।