ଭୁବନେଶ୍ୱର:୨୨/୧୨-ରାଜ୍ୟରେ ମ୍ୟୁନିସିପାଲିଟି ଓ ଏନଏସି ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟ ସରକାର ୫ଟି ମ୍ୟୁନିସିପାଲିଟି ଓ ୨୪ଟି ଏନଏସି ବୃଦ୍ଧି କରିଛନ୍ତି। ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼କୁ ମ୍ୟୁନିସିପାଲିଟି ଘୋଷଣା କରାଯାଇଥିବା ବେଳେ ଗଞ୍ଜାମର ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା ଏବଂ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆକୁ ମ୍ୟୁନିସିପାଲିଟି ଘୋଷଣା କରାଯାଇଛି।

ସେହିପରି୨୪ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟ ଘୋଷଣା କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୫ଟି ନୂଆ ଏନଏସି ଘୋଷଣା ହୋଇଛି। ସେଗୁଡ଼ିକ ହେଲା ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡ଼ା, କପ୍ତିପଦା ଓ ରାସଗୋବିନ୍ଦପୁର। କଟକରେ ୩ଟି ଯଥା ସାଲେପୁର, ବଡ଼ମ୍ବା ଓ ନରସିଂହପୁରକୁ ଏନଏସି ଘୋଷଣା କରାଯାଇଛି। ଅନୁଗୁଳ ଜିଲ୍ଲାର ପାଲଲହଡ଼ା, ବାଲେଶ୍ୱର ଜିଲ୍ଲାରେ ସିମୁଳିଆ, ବରଗଡ଼ ଜିଲ୍ଲାର ସୋହେଲା, ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଧୁସୁର, ଢେଙ୍କାନାଳ ଜିଲ୍ଲାର ଗଁଦିଆ, ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଓ ପାତ୍ରପୁର, କଳାହାଣ୍ଡି ଜିଲ୍ଲାର ନର୍ଲା ଓ ଜୟପାଟଣା, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ, କୋରାପୁଟ ଜିଲ୍ଲାର ବୋରିଗୁମା, ରାୟଗଡ଼ା ଜିଲ୍ଲାର ବିଷମକଟକ, ସମ୍ବଲପୁର ଜିଲ୍ଲାର ବାମରା ଓ ରେଙ୍ଗାଲି ଏବଂ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରକୁ ଏନଏସି ଘୋଷଣା କରାଯାଇଛି।