-ରାଜ୍ୟର ୭ଟି ମେଡିକାଲ କଲେଜ କ୍ୟାମ୍ପସରେ
-ଆଟେଣ୍ଡାଣ୍ଟଙ୍କ ପାଇଁ ହେବ ବିଶ୍ରାମ ଗୃହ
ଭୁବନେଶ୍ୱର:୨୩/୧୨-ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହି ଅବସରରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ(ବଡ଼ ମେଡ଼ିକାଲ) କଲେଜର ପୁନଃବିକାଶ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟର ସର୍ବବୃହତ ମେଡିକାଲ କଲେଜ ହିସାବରେ ଏଠାକୁ ପ୍ରତିଦିନ ହଜାର ହଜାର ରୋଗୀ ଓ ସେମାନଙ୍କର ସମ୍ପର୍କୀୟମାନେ ଆସିଥାନ୍ତି। ଏହି ମେଡିକାଲ କଲେଜକୁ ଏକ ବିଶ୍ୱସ୍ତରୀୟ ମେଡିକାଲ କଲେଜ ରୂପେ ବିକଶିତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ଆବଶ୍ୟକୀୟ ପାର୍କିଂ ସୁବିଧା ଉପରେ ବୈଠକରେ ଆଲୋଚନା ହୋଇଥିଲା।

ବୈଠକରୁ ଜଣାଯାଇଛି ଯେ, ଏସ୍.ସି.ବି ମେଡିକାଲ କଲେଜରେ ୬.୫୧ ଏକର ପରିମିତ ଅଞ୍ଚଳରେ ୧୭ ମହଲା (ଏ+୧୬) ବିଶିଷ୍ଟ ଏକ ମଲ୍ଟି ଲେଭଲ୍ ପାର୍କିଂ ସୁବିଧା ବିକଶିତ କରାଯିବ। ପାର୍କିଂ ସୁବିଧା ଉଭୟ ଏସ୍.ସି.ବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଆସୁଥିବା ରୋଗୀ ଓ ଆଟେଣ୍ଡାଣ୍ଟମାନେ ବ୍ୟବହାର କରିପାରିବେ। ଏହି ବିଲ୍ଡିଂରେ ୧୨ ମହଲା ପର୍ଯ୍ୟନ୍ତ ପାର୍କିଂ ସୁବିଧା ଏବଂ ଅବଶିଷ୍ଠ ମହଲା ଗୁଡିକରେ ପ୍ରଶାସନିକ ବ୍ଲକ, ଆନାଟୋମୀ ବ୍ଲକ, ବି. ଫାର୍ମା ଏବଂ ଡି. ଫାର୍ମା କଲେଜ ଇତ୍ୟାଦି କାର୍ଯ୍ୟକ୍ଷମ ହେବ।
ଏଥିସହିତ ମେଡିକାଲ ଛାତ୍ରମାନଙ୍କୁ ଚାପମୁକ୍ତ ରଖିବା ପାଇଁ ଇଣ୍ଡୋର ଗେମ୍, ସୁଇମିଂ ପୁଲ୍ ସୁବିଧା ମଧ୍ୟ ଉପଲବ୍ଧ କରାଯିବ। ଏଥିନିମନ୍ତେ ଖୁବଶୀଘ୍ର ଡିପିଆର ପ୍ରସ୍ତୁତ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍ସିବି ନିକଟରେ ୧୩ ଗୋଟି ହାଉସିଂ ଟାୱାର କାମ ନିର୍ମାଣଧୀନ ରହିଛି। ଯେଉଁଥିରେ ୬୭୨ଟି ଆବାସିକ ୟୁନିଟ ଓ ୨,୨୪୪ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା କରାଯାଉଛି। ଏହି ପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀ ସବିସ୍ତୃତ ଆଲୋଚନା କରି ଏହାର ନିର୍ମାଣକାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ପୁନଃ ବିକାଶ କାର୍ଯ୍ୟ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
ପାଣିକୋଇଲି ଟ୍ରମା କେୟାର ସେଣ୍ଟରକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁଏହାକୁ ପିପିପି ମୋଡରେ କରିବାକୁ ସେ ପରାମର୍ଶ ଦେଇଛନ୍ତି। ହସ୍ପିଟାଲ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ଥିବା କେନ୍ଦ୍ର ସରକାରଙ୍କ ପିଏସୟୁକୁ ଏକ୍ଷେତ୍ରରେ ପ୍ରାଥମିକତା ଦିଆଯାଉ, ଆବଶ୍ୟକସ୍ଥଳେ ଘରୋଇ କ୍ଷେତ୍ରକୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ସେ କହିଥିଲେ। ଏଥିସହିତ ରାଜ୍ୟର କଟକ, ବ୍ରହ୍ମପୁର, ବୁର୍ଲା, ସୁନ୍ଦରଗଡ, କୋରାପୁଟ, ବାରିପଦା ଓ ବଲାଙ୍ଗିରରେ ଥିବା ସରକାରୀ ମେଡିକାଲ କଲେଜ କ୍ୟାମ୍ପସରେ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା।