
ଭୁବନେଶ୍ୱର:୨୪/୧୨-ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ପ୍ରସଙ୍ଗରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଆବେଦନଟି ଅପରିପକ୍ୱ ଥିବା ଦର୍ଶାଇବା ସହ ଏହା ଏଭଳି ସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଆଗତ ଜନସ୍ୱାର୍ଥ ମାମଲାର ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବିସ୍ତୃତ ଶୁଣାଣି ହୋଇଥିଲା। ମକଦ୍ଦମା ଶୁଣାଣି ବେଳେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ ସରକାର ଓ ବିଧାନସଭା ପକ୍ଷରୁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ, ଏଭଳି ମାମଲା ଅବାଞ୍ଛନୀୟ ଓ ଅଗ୍ରହଣୀୟ। ଏହି ମାମଲା ବିଚାରଯୋଗ୍ୟ ନୁହେଁ । ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଏ ପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଆଇନ ଆସିନାହିଁ ।
ବିଲ ଓ ଆଇନ ମଧ୍ୟରେ ପ୍ରଭେଦ ନ ଜାଣି ଅପରିପକ୍ୱ ମାମଲା ଦାୟର ହୋଇଥିବାରୁ ହାଇକୋର୍ଟଙ୍କ ସମୟ ଅପଚୟ ଓ ଆଇନର ଅପବ୍ୟବହାର କରାଯାଉଛି ବୋଲି ଆଡଭୋକେଟ ଜେନେରାଲ ଯୁକ୍ତି ରଖିଥିଲେ। ଆବେଦନକାରୀଙ୍କୁ ଦୃଷ୍ଟାନ୍ତମୂଳକ ଅର୍ଥଦଣ୍ଡ ଦେଇ ମାମଲାକୁ ଖାରଜ କରାଯାଉ ବୋଲି ସେ ଯୁକ୍ତି ବାଢ଼ିଥିଲେ। ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମକଦ୍ଦମାଟି ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଆବେଦନକୁ ଖାରଜ କରି ଦେଇଛନ୍ତି। ଏହା ଆଇନରେ ପରିଣତ ହେବା ପରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ପରେ ହିଁ ଆବେଦନକାରୀ ମାମଲା କୋର୍ଟରେ ଦାୟର କରିପାରିବେ ବୋଲି କହିଛନ୍ତି।