
ଭୁବନେଶ୍ୱର:୨୫/୧୨- ଖୋର୍ଦ୍ଧା ମହୋତ୍ସବ ୨୦୨୫ ଆଜି ଏକ ଉତ୍ସବ କିମ୍ବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଞ୍ଚ ହୋଇ ରହିନି, ଏହା ଆଜି ପାଲଟିଛି ବିକାଶର ମଞ୍ଚ, ଏହା କହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୫୧୬ କୋଟି ଟଙ୍କାର ବ୍ୟୟ ବରାଦରେ ୩୯ଟି ପ୍ରକଳ୍ପର ଶୁଭରମ୍ଭ କରିଛନ୍ତି। ଏଥି ମଧ୍ୟରୁ ୩୨ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବା ସହିତ ୭ଟି ପ୍ରକଳ୍ପର କ୍ଷଗ୍ଧ ଶୁଭ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖୋର୍ଦ୍ଧାକୁ ସମୃଦ୍ଧ ଓଡିଶାର ଏକ ନମ୍ବର ଜିଲ୍ଲା ଭାବେ ବିକଶିତ କରିବା କାରଣ ଆଗାମୀ ଦିନରେ ଏଇ ଖୋର୍ଦ୍ଧା ପାଇକ ମାଟିର ଯୁବ ପିଢ଼ିଙ୍କ ହାତରେ ସେମିକଣ୍ଡକ୍ଟର ଚିପ ତିଆରି ହେବ ଆଉ ଅଗ୍ନି, ପୃଥ୍ୱୀ, ଆକାଶ ଭଳି ମିସାଇଲରେ ଏହି ଚିପ ବ୍ୟବହାର କରାଯିବ।

୨୦୩୬ ରେ ଯେତେବେଳେ ଆମେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଏକ ଶହ ବର୍ଷ ପୂର୍ତ୍ତି ପାଳନ କରିବା, ସେତେବେଳେ ଆମ ରାଜ୍ୟ ଦେଶର ପ୍ରଥମ ପାଞ୍ଚଗୋଟି ବିକଶିତ ରାଜ୍ୟ ଭାବେ ସ୍ଥାନ ପାଇବ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆମ ସରକାର ପ୍ରଥମ ଦିନରୁ ହିଁ କାର୍ଯ୍ୟ କରି ଆସୁଛନ୍ତି। ସମୃଦ୍ଧ ଓଡିଶା ଗଠନ ପାଇଁ ପ୍ରତ୍ୟେକ ଜିଲ୍ଲା ସମୃଦ୍ଧ ହେବା ଆବଶ୍ୟକ, ତେଣୁ ଆଗାମୀ ଦିନରେ ସମୃଦ୍ଧ ଖୋର୍ଦ୍ଧା ଜିଲ୍ଲା ବିକଶିତ ଓଡ଼ିଶା ଗଠନ ଦିଗରେ ଏକ ମହତ୍ୱପୂର୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଖୋର୍ଦ୍ଧାର ଇତିହାସ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ମାଟି ହେଉଛି ବୀରମାଟି, ଏ ମାଟି ହେଉଛି ବଳିଦାନ, ତ୍ୟାଗ ଏବଂ ଶୌର୍ଯ୍ୟର ପ୍ରତୀକ। ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରଶାନ୍ତ ଜଗଦେବ, ପୂର୍ବତନ ବିଧାୟକ ଦିଲୀପ ହରିଚନ୍ଦନ, ମହୋତ୍ସବ ସମ୍ପାଦକ ନରେନ୍ଦ୍ର ପୃଷ୍ଟି, ଜିଲ୍ଲାପାଳ ଅମୃତ ଋତୁରାଜ, ସିଡିଓ ଜ୍ୟୋତି ଶଙ୍କର ସାହୁ, ବିଏମସି କମିଶନର ଚଞ୍ଚଳ ରାଣା ପ୍ରମୁଖ ମଂଚାସୀନ ଥିଲେ।