ଚଳିତ ମାସରୁ ଏସଓଜି ଯବାନ ଓ ଅଧିକାରୀଙ୍କ ରିସ୍କ ଆଲାଉନ୍ସ
୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
ଭୁବନେଶ୍ୱର:୨୫/୧୨-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସ.ଓ.ଜି ଚନ୍ଦକାର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଂ କେନ୍ଦ୍ର ଉଦଘାଟନ କରିଛନ୍ତି। ଏଥିରେ ଏକା ସମୟରେ ୪୦୦ ଯବାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ପାରିବ। ଏହା ସହିତ ମୁଖ୍ୟମନ୍ତ୍ରୀ ସେଠାରେ ଏକ ଅତ୍ୟାଧୁନିକ ଆତଙ୍କବାଦ ବିରୋଧୀ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି। ସେ ୧୬ ଟି ଜିଲ୍ଲାର ୧୬ ଟି ଥାନା ଗୃହ, ୭୦ ଟି କ୍ୱାର୍ଟର, ଅଫିସ ଗୃହ, ବାରାକ୍, ଅସ୍ତ୍ରାଗାର, ପ୍ରଶାସନିକ ବିଲ୍ଡିଂ ଆଦି ପ୍ରକଳ୍ପ ମଧ୍ୟ ଉଦଘାଟନ କରିଛନ୍ତି।
ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ଏବଂ ହିଂସାରେ ଲିପ୍ତ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କୁ ସରକାର ଅତ୍ୟନ୍ତ କଠୋର ଭାବରେ ଦମନ କରିବା ପାଇଁ ବଦ୍ଧ ପରିକର ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀ ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟଧାରାରେ ସାମିଲ ହୁଅନ୍ତୁ ଏବଂ ବିକାଶ ପାଇଁ ସରକାରଙ୍କ ପ୍ରଗତି ରଥରେ ସାରଥି ସାଜନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଜାରି ରହିଥିବା ମାଓବାଦୀ ସମସ୍ୟାକୁ ଦମନ କରିବା ଦିଗରେ ଏସଓଜିର ଅବଦାନ ଅନନ୍ୟ। ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶରୁ ନକ୍ସଲ ବାଦ ଲୋପ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ଡେଡ୍ ଲାଇନ ରଖିଛନ୍ତି, ସେଥିରେ ଆମେ ସଫଳ ହୋଇ ଚାଲିଛୁ।

ଚଳିତ ଡିସେମ୍ବର ମାସଠାରୁ ନକ୍ସଲ ଦମନ ଅଭିଯାନରେ ପ୍ରତ୍ୟକ୍ଷ ଭାବେ ନିୟୋଜିତ ସ୍ପେସାଲ ଅପରେସନ୍ ଗ୍ରୁପ ବା ଏସଓଜିର ଅଫିସରମାନେ ମାସିକ ସର୍ବାଧିକ ୨୫,୦୦୦ ଟଙ୍କା ପାଇବେ ବୋଲି ସେ ଘୋଷଣା କରିଛନ୍ତି। ଏସଓଜିର ସୁବେଦାର ଓ ଡେପୁଟି ସୁବେଦାରମାନେ ମାସିକ ୨୪,୦୦୦ ଟଙ୍କା, ହାବିଲଦାରମାନେ ମାସିକ ୨୦,୦୦୦ ଟଙ୍କା, ଏବଂ କନଷ୍ଟେବଲ ଓ ସିପାହୀମାନେ ମାସକୁ ୧୬,୦୦୦ ଟଙ୍କା ଭତ୍ତା ପାଇବେ । ସେହିପରି ଅଧିକାରୀ ଓ କର୍ମଚାରୀମାନେ ପ୍ରତ୍ୟକ୍ଷ ଭାବରେ ଅଭିଯାନରେ ସାମିଲ ହୋଇନଥିଲେ ମଧ୍ୟ ଟ୍ରେନିଂ ଓ ଅନ୍ୟାନ୍ୟ ଡ୍ୟୁଟିରେ ଥିଲେ ମାସିକ ସର୍ବାଧିକ ୧୨,୦୦୦ ଟଙ୍କା ପାଇବେ । ସେହିପରି ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟିଅର ଫୋର୍ସର କର୍ମଚାରୀମାନେ ମାସିକ ସର୍ବାଧିକ ୧୦,୦୦୦ ଟଙ୍କା ଏବଂ ଏସଆଇଡବ୍ଲୁ ସ୍ପେସାଲ ଇଣ୍ଟେଲିଜେନ୍ସ ୱିଙ୍ଗ୍ର କର୍ମଚାରୀମାନେ ମାସିକ ସର୍ବାଧିକ ୨୦,୦୦୦ ଟଙ୍କା ଭତ୍ତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପୁଲିସ ବିଭାଗକୁ ଅଧିକ ଶକ୍ତିଶାଳୀ ଏବଂ କ୍ରିୟାଶୀଳ କରିବା ନିମନ୍ତେ ଆମ ସରକାରଙ୍କଦ୍ୱାରା ୩ଟି ଓଡିଶା ସ୍ପେଶାଲ ଷ୍ଟ୍ରାଇକିଙ୍ଗ୍ ଫୋର୍ସ ବାଟାଲିୟନ, ୩ଗୋଟି ଓ.ଆଇ.ଏସ.ଏଫ. (ଓଡିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ), ୧୦ଟି ନୂତନ ଓଡ୍ରାଫ ୟୁନିଟ, ଗୋଟିଏ ଟ୍ରାଫିକ୍ ଓ ରୋଡ଼ ସେଫ୍ଟି ୱିଙ୍ଗ, ୨୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଏବଂ ଗୋଟିଏ ନୂତନ ପୁଲିସ ଜିଲ୍ଲା (ରାଇରଙ୍ଗପୁର ପୁଲିସ ଜିଲ୍ଲା) ପ୍ରତିଷ୍ଠା କରାଯାଇଛି। ଏଥି ସହିତ, ଆମ ସରକାର ପୁଲିସ ବିଭାଗରେ ସର୍ବମୋଟ ୧୫,୩୨୬ ଟି ନୂତନ ପଦବୀ ସୃଷ୍ଟି ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି।
ରାଜ୍ୟ ସରକାର ଇତିମଧ୍ୟରେ ସଂଶୋଧିତ ‘ଆତ୍ମସମର୍ପଣ ଏବଂ ପୁନର୍ବାସ’ ଯୋଜନାକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ଯୋଜନା ଅନୁଯାୟୀ, ଆତ୍ମସମର୍ପଣ କରୁଥିବା ମାଓବାଦୀମାନଙ୍କୁ ୧ କୋଟି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ସହିତ ବାସଗୃହ, ଶିକ୍ଷା ସହାୟତା, ବିବାହ ସହାୟତା ଏବଂ ରୋଜଗାର ନିମନ୍ତେ ମାସିକ ୧୦,୦୦୦ ଟଙ୍କାର ଷ୍ଟାଇପେଣ୍ଡ ସହିତ ବୃତ୍ତିିଗତ ତାଲିମର ସୁବିଧା ମିଳି ପାରିବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଏସଓଜି କମାଣ୍ଡୋ ମାନେ ସାହାସିକତା ଭରା ଆତଙ୍କ ଦମନ ଡେମୋ ଅପରେସନ ପ୍ରଦର୍ଶନ କରିଥିଲେ।