ଭୁବନେଶ୍ୱର:୪/୧-ଆସନ୍ତା ୧୦ ତାରିଖରୁ ଗ୍ରୀନ୍ ଷ୍ଟିକର ମିଳିବ ।ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଥିବା ଯାନବାହାନ ପାଇଁ ୧୦ ଜାନୁଆରୀରୁ ସବୁଜ ରଙ୍ଗର ବୈଧ ପ୍ରମାଣପତ୍ର ଷ୍ଟିକର ଉପଲବ୍ଧ ହେବ । ଯେଉଁ ଯାନବାହାନ ମାଲିକମାନେ ୧୦ ତାରିଖ ପୂର୍ବରୁ ବୈଧ ପ୍ରମାଣପତ୍ର ପାଇ ସାରିଛନ୍ତି ସେମାନେ ନିକଟସ୍ଥ ଆରଟିଓରୁ ଏହି ସବୁଜ ଷ୍ଟିକର ପାଇପାରିବେ । ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ସମସ୍ତ ଆରଟିଓରେ ବିଶେଷ କାଉଣ୍ଟର ଖୋଲାଯିବ।

ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ କେବଳ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଥିବା ଯାନବାହାନଗୁଡ଼ିକୁ ସବୁଜ ଷ୍ଟିକର ପ୍ରଦାନ କରାଯିବ । ଷ୍ଟିକର ଦେବା ପୂର୍ବରୁ ଅରଟିଓର ଅଧିକାରୀମାନେ ଯାନର ପ୍ରଦୂଷଣ ପ୍ରମାଣପତ୍ର, ପଞ୍ଜୀକରଣ ବିବରଣୀ ଏବଂ ବାହାନ ଡାଟାବେସରେ ଥିବା ରେକର୍ଡ ଯାଞ୍ଚ କରିବେ । ସେହିପରି ଆସନ୍ତା ୧୦ ତାରିଖ କିମ୍ବା ପରେ ଯେଉଁମାନେ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପାଇବେ ସେମାନେ ସ୍ୱୀକୃତିପ୍ରାପ୍ତ ପଲ୍ୟୁସନ ଟେଷ୍ଟିଂ ସେଣ୍ଟରରୁ ଗ୍ରୀନ ଷ୍ଟିକର ପାଇପାରିବେ ।