ଭୁବନେଶ୍ୱର: ୧୪/୧: ଆମ ବସ୍ ସେବା ସମ୍ପର୍କୀତ ଗଠିତ ଉଚ୍ଚସ୍ତରୀୟ କମିଟି ବୈଠକ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଆଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭାରି ଯାନ ଚଳାଚଳ ଦ୍ୱାରା ସଡ଼କ ବ୍ୟବହାକାରୀଙ୍କ ସୁରକ୍ଷା, ଯାତ୍ରୀ ଅନୁକୂଳ ଆମ ବସ୍ ସେବା ଏବଂ ଚାଳକମାନଙ୍କ ସାମଗ୍ରୀକ ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଥିରେ ପରିବହନ କମିଶନର ଅମିତାଭ ଠାକୁର , ଏମଡି କ୍ରୁଟ୍ ସଞ୍ଜୟ ବିଶ୍ୱାଳ, ଡିସିପି, କମିଶନରେଟ୍ ପୁଲିସ୍, ଟ୍ରାଫିକ ଡ଼ିସିପି ଏବଂ ଜିଏମ୍ କ୍ରୁଟ୍ ପ୍ରମୁଖ ଉପସ୍ଥିତ ଥିଲେ। ଜାନୁଆରୀ ମାସର ପ୍ରଥମ ଦୁଇ ସପ୍ତାହରେ ଆମ ବସ୍ ଗୁଡ଼ିକର ସ୍ପିଡ୍ ଲିମିଟ୍ର ଅନୁଧ୍ୟାନ କରାଯାଇଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । କୌଣସି ଆମ ବସ୍ ଏହି ନିୟମ ଭଙ୍ଗ କରିଥିବାର ନଜିର୍ ଆସିନାହିଁ । ବସ ଷ୍ଟପରେ ଆମ ବସ ରହଣି ଉପରେ ମଧ୍ୟ ଆଲୋଚନା ହୋଇଛି ।

ଡ୍ରାଇଭିଂ ଟ୍ରେନିଙ୍ଗ ସ୍କୁଲକୁ ଇ-ବସ୍ ପ୍ରଦାନ କରାଯିବ । ଦୈନିକ ୧୮୦ କିମି ପର୍ଯ୍ୟନ୍ତ ଟ୍ରେନିଙ୍ଗ ସ୍କୁଲ ପରିସର ମଧ୍ୟରେ ଚାଳକମାନେ ଡ୍ରାଇଭିଂ ଟ୍ରେନିଙ୍ଗ ନେଇପାରିବେ । ଏନେଇ ଆବଶ୍ୟକୀୟ ଥିବା ମଲ୍ଟି ଚାର୍ଜିଂ ଭିତ୍ତିଭୂମି ଛତିଆ, ବ୍ରହ୍ମପୁର ଏବଂ ବଣାଇ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯିବାର ଯୋଜନା କରାଯାଇଛି । ଯାହାଦ୍ୱାରା ସରକାରୀ ଯାନ ସହିତ ବେସରକାରୀ ଯାନଗୁଡ଼ିକର ଚାର୍ଜିଂ ସୁବିଧା ରହିବ । ଚାରିଚକିଆ ଇଭି ଯାନଗୁଡ଼ିକୁ ମଧ୍ୟ ଚାର୍ଜିଂ କରିବାର ସୁବିଧା ଜନସାଧାରଣ ପାଇପାରିବେ । ଜାନୁଆରୀ ୨୬ରୁ ଲାଗୁହେବ କ୍ୟାପଟେନ ଓ ଗାଇଡମାନଙ୍କ ନିମନ୍ତେ ପ୍ରୋତ୍ସାହନ ରାଶି । ଚାଳକଙ୍କ ସୁରକ୍ଷିତ ଗାଡ଼ି ଚାଳନା ଓ ବିଭିନ୍ନ ଦିଗରୁ ସେମାନଙ୍କ କାର୍ଯ୍ୟକୁ ମୂଲ୍ୟାଙ୍କନ କରି ତିନିମାସରେ ଥରେ ପ୍ରଦାନ କରାଯିବ ଏହି ରାଶି । ଫେବୃୟାରୀରୁ ଆରମ୍ଭ ହେବ ଆମ ବସ୍ ରୁଟରେ ଜନସାଧାରଣଙ୍କ ସହଭାଗିତା, ସାମାଜିକ ଗଣମାଧ୍ୟମରୁ ସାଧାରଣ ଯାତ୍ରୀଙ୍କଠୁ ମଗାହେବ ରୁଟ୍ ପରିବର୍ତ୍ତନ ଉପରେ ମତାମତ ।
ସେପରି ସୁବାହକ ଟ୍ରେନିଙ୍ଗର ସମୟ ସୀମା ତିନି ଦିନରୁ ପାଞ୍ଚ ଦିନକୁ ବୃଦ୍ଧି କରାଯାଇଛି । ଯାହାଦ୍ୱାରା ଚାଳକମାନେ ଅଧିକ ସମୟ ଓ ଅଧିକ ଦୂରତା ପର୍ଯ୍ୟନ୍ତ ଭାରି ମୋଟର ଯାନ ଚାଳନା ଟ୍ରେନିଂ ଗ୍ରହଣ କରିପାରିବେ । ସେଥିରେ ସାଇକୋମାଟ୍ରିକ ପରୀକ୍ଷା, ଇନ୍ ବିଟର୍ସ, ଲେନ ଡ୍ରାଇଭିଂ, ଚାଳକ ମାନଙ୍କର ନିଜସ୍ୱ ମୁଲ୍ୟାଙ୍କନ ଉପରେ ଅଧିକ ଧ୍ୟାନ ଦିଆଯିବ । ସେପରି ଇ-ବସ୍ ଚାଳନା ପ୍ରଶିକ୍ଷଣ ନିମନ୍ତେ ଟ୍ରେନିଙ୍ଗ ସ୍କୁଲ୍ ମାନଙ୍କରେ ସିମୁଲେଟର୍ ବ୍ୟବସ୍ଥା କରାଯିବ ।
ଯାତ୍ରୀ ମାନଙ୍କ ସୁରକ୍ଷା ଓ ପରିବେଶ ସୁରକ୍ଷାକୁ ଆଖି ଆଗରେ ରଖି ଦେଢ଼ ଲକ୍ଷରୁ ଅଧିକ କିଲୋମିଟର ଚଳାଚଳ ହୋଇସାରିଥିବା ପୁରୁଣା ବିପିଟିସିଏଲ୍ ର ୩୦ଟି ପୁରୁଣା ବସ୍ ଗୁଡ଼ିକୁ ସ୍କ୍ରାପିଂ କରାଯିବ । ଏହା ବଦଳରେ କଟକ ଓ ଭୁବନେଶ୍ୱରରେ ରାସ୍ତାକୁ ଦେଖି ଛୋଟ ଇ-ବସ୍ ଜନ ସାଧାରଣଙ୍କ ନିମନ୍ତେ ଯୋଡ଼ିହେବ । ପ୍ରକାଶ ଥାଉକି ଆମ ବସ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପ୍ରମୁଖ ସଚିବ ଶ୍ରୀମତୀ ପାଢୀଙ୍କ ଆଧକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ପ୍ରତି ୧୫ ଦିନରେ ଆମବସ ଚଳାଚଳ ସମ୍ପର୍କରେ ସମୀକ୍ଷା କରାଯିବା ନିମନ୍ତେ ନିଷ୍ପତ୍ତି ଅନୁଯାୟୀ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।