ଭୁବନେଶ୍ୱର,୧୬/୧-ରାଜ୍ୟରେ ନିପା ଭାଇରସ ସମ୍ପର୍କିତ ସ୍ଥିତି ଓ ପ୍ରତିରୋଧମୂଳକ ପ୍ରସ୍ତୁତିକୁ ନେଇ ଶୁକ୍ରବାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମବଙ୍ଗରେ ନିପା ଭାଇରସ କେସ ଚିହ୍ନଟ ହେଲା ପରେ ଓଡିଶାରେ ପ୍ରତିରୋଧମୂଳକ ବୈଠକ କରାଯାଇଛି। ବର୍ତ୍ତମାନ କୌଣସି ନିପା ଭାଇରସର ସନ୍ଦିଗ୍ଧ କେସ ଚିହ୍ନଟ ହୋଇନାହିଁ। ରାଜ୍ୟ ସରକାର ସଂପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛନ୍ତି ଏବଂ ପରିସ୍ଥିତିକୁ ନିକଟରୁ ନିରୀକ୍ଷଣ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି। ସାଧାରଣ ଜନତାଙ୍କୁ ଆତଙ୍କିତ ନ ହେବାକୁ ସେ ଅନୁରୋଧ କରିଛନ୍ତି।

ସମସ୍ତ ସୀମାବର୍ତ୍ତୀ ଜିଲ୍ଲାକୁ ସତର୍କ ରହିବା, ସନ୍ଦେହଜନକ ମାମଲାର ତୁରନ୍ତ ସନ୍ଧାନ ଓ ରିପୋର୍ଟିଂ, ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ପିପିଇ କିଟ୍ ଓ ଚିକିତ୍ସା ସାଧନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଗୁରୁତ୍ୱ ଦିଆଯାଇଛି। ବୈଠକରେ ରାଜ୍ୟର ବର୍ତ୍ତମାନ ସ୍ଥିତି, ସତର୍କତା ବ୍ୟବସ୍ଥା, ରୋଗ ନିରୀକ୍ଷଣ, ନମୁନା ପରୀକ୍ଷା, ଆଇସୋଲେସନ ଓ ଚିକିତ୍ସା ସୁବିଧା ସମ୍ପର୍କରେ ସମ୍ପୂର୍ଣ୍ଣ ଆଲୋଚନା କରାଯାଇଛି।
ବୈଠକରେ ସ୍ୱାସ୍ଥ୍ୟ ବିଭାଗସଚିବ ଅଶ୍ୱଥି ଏସ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ପ୍ରଦୀପ କୁମାର ଗୁରୁ, ମେଡିକାଲ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ସନ୍ତୋଷ କୁମାର ମିଶ୍ର ଉପସ୍ଥିତ ଥିଲେ।