ଶ୍ରେଷ୍ଠ ୧୦ଟି ଷ୍ଟାର୍ଟଅପ ପ୍ରକଳ୍ପକୁ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା
ଭୁବନେଶ୍ୱର:୧୭/୧-ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା “ରାଜ୍ୟ ସ୍ତରୀୟ ନବ ସୃଜନ ଓ ନୂତନ ଉଦ୍ୟମ’ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଉଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୧୪ଟି ବିଶ୍ୱ ବିଦ୍ୟାଳୟର ୭୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଉଦଯାପନୀ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବିକଶିତ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ-୨୦୪୭ ଗଠନ ଲକ୍ଷ୍ୟ ପୂରଣ କରିବାରେ ଆମ ଯୁବବର୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ କରିବା ଏବଂ ସେମାନଙ୍କୁ ଆତ୍ମ ନିର୍ଭର କରିବା ପାଇଁ “ନବ ସୃଜନ, ନୂଆ ଉଦ୍ୟମ’ ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ୧୦ଟି ଷ୍ଟାର୍ଟଅପ୍ ପ୍ରକଳ୍ପକୁ ଶ୍ରେଷ୍ଠ ପ୍ରକଳ୍ପ ଭାବେ ଘୋଷଣା କରାଯାଇଥିଲା। ପ୍ରତ୍ୟେକ ପ୍ରକଳ୍ପକୁ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବା ସହ କୃତୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ନୀଳାମ୍ବର ବେହେରା, କେନ୍ଦ୍ରାପଡ଼ା ବିରୂପା ମହାବିଦ୍ୟାଳୟର ଅଭିଲିପ୍ସା ଭୂୟାଁ, ରମାଦେବୀ ବିଶ୍ୱବିଦ୍ୟାଳୟର ସୁଦୀପ୍ତା ରାଉତ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅର୍ଚ୍ଚିତା ଲେଙ୍କା, ଗଣେଶ ଚନ୍ଦ୍ର ଖାଡ଼ଙ୍ଗ, ଧରଣୀଧର ବିଶ୍ୱବିଦ୍ୟାଳୟର ଶ୍ରୀୟା ସୋନାଲି ସାହୁ, ସୁଶ୍ରୀ ଶ୍ରୀୟା ପ୍ରଧାନ, ମହର୍ଷି କଲେଜ ଅଫ ନ୍ୟାଚୁରାଲ ଲ’ ର ଶ୍ରୀପଦ ଶରଣ ବାରିକ, ମା ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟର ପ୍ରବୀଣ କୁମାର ସିଂ ଓ ସ୍ୱାଶିତ ପଟ୍ଟନାୟକ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦେବୀ ପ୍ରସାଦ ମିଶ୍ରଙ୍କୁ ପୁରସ୍କାର, ଆର୍ôଥକ ସହାୟତା ରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା।
ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଷ୍ଟାର୍ଟଅପ୍ ପ୍ରକଳ୍ପ ଗୁଡ଼ିକୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଏଥିସହ କୃତୀ ଛାତ୍ରଛାତ୍ରୀମାନଙ୍କୁ ମେଣ୍ଟରସିପ ପ୍ରଦାନ କରାଯିବା ସହ ଉଚ୍ଚସ୍ତରୀୟ ଗବେଷଣା ପାଇଁ ସମସ୍ତ ସୁବିଧା ଓ ସୁଯୋଗ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରଦାନ କରାଯିବ।

ଏହି ପ୍ରତିଯୋଗିତାର ଆୟୋଜନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। କୃଷି ଓ ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଖାଦ୍ୟ ଓ ପୋଷଣ, ହସ୍ତତନ୍ତ, କୃତ୍ରିମ ବୁଦ୍ଧିମତା ଓ ପ୍ରଯୁକ୍ତିବିଦ୍ୟା, ମାନସିକ ସ୍ୱାସ୍ଥ୍ୟ, ବିତ୍ତୀୟ ପରିଚାଳନା, ଶିକ୍ଷା, ପରିବେଶ ସୁରକ୍ଷା ଓ ସତତ ବିକାଶ ଆଦି କ୍ୟାଟାଗୋରୀରେ ଛାତ୍ରଛାତ୍ରୀମାନେ ନିଜର ଷ୍ଟାର୍ଟଅପ୍ ପ୍ରକଳ୍ପକୁ ପ୍ରଦର୍ଶିତ କରିଥିଲେ।
କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ଅତନୁ କୁମାର ପତି, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଡ଼. ଚଣ୍ଡୀ ଚରଣ ରଥ ପ୍ରମୁଖ ଉପସ୍ଥିତ ଥିଲେ।