– ୯୬ ଟି ରେଲୱେ ଓଭର ବ୍ରିଜ୍ ନିଜ ଖର୍ଚ୍ଚରେ ନିର୍ମାଣ କରିବ ରେଳବାଇ
– ଆପ୍ରୋଚ ରାସ୍ତା ଜମି ଅଧିଗ୍ରହଣ ପାଇଁ ଭାରପ୍ରାପ୍ତ ଅଧିକାରୀ ମନୋନୀତ
ଭୁବନେଶ୍ୱର:୨୦/୧-ରାଜ୍ୟର ସଡ଼କ ନେଟ୍ୱାର୍କର ସୁଦୃଢ଼ୀକରଣ କ୍ଷେତ୍ରରେ ରେଲୱେ ଓଭର ବ୍ରିଜର ପ୍ରମୁଖ ଭୂମିକା ରହିଛି। ରେଲୱେ ଫାଟକ ବଦଳରେ ରେଲୱେ ଓଭର ବ୍ରିଜ ନିର୍ମାଣ ଦ୍ୱାରା ଯାତ୍ରା ସମୟରେ ହେଉଥିବା ଅତିରିକ୍ତ ଭିଡ଼ ହ୍ରାସ ସହ ସମୟ ଅବଧି କମିବା ଏବଂ ଧନଜୀବନକୁ ସୁରକ୍ଷା ଦେଇହେବ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ ବିଭାଗ ପକ୍ଷରୁ ରାସ୍ତା ଉପରେ ହେବାକୁ ଥିବା ୧୬୬ଟି ରେଲୱେ ଓଭର ବ୍ରିଜ ଉପରେ ସମୀକ୍ଷା କରାଯାଇଛ। ଏ ନେଇ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ପୂର୍ବତଟ ରେଳବାଇ ଓ ନିର୍ମାଣ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ ଏହି ୧୬୬ ଗୋଟି ରେଲୱେ ଓଭର ବ୍ରିଜ ଗୁଡିକର ନିର୍ମାଣରେ ଅଗ୍ରଗତି ଗତ କିଛି ବର୍ଷ ହେଲା ମନ୍ଥର ସ୍ଥିତିରେ ଥିଲା। ଭାରତ ସରକାରଙ୍କ ରେଳବାଇ ମନ୍ତ୍ରଣାଳୟର ନୂତନ ନୀତି-୨୦୨୪ କୁ ଉପଯୋଗ କରି ପୂର୍ବତଟ ରେଳବାଇ ୯୬ ଟି ରେଲୱେ ଓଭର ବ୍ରିଜକୁ ଶତପ୍ରତିଶତ ନିଜ ଖର୍ଚ୍ଚରେ ନିର୍ମାଣ କରିବା ନେଇ ବୁଝାମଣା ପତ୍ର ସ୍ୱାକ୍ଷର ପାଇଁ ନିଷ୍ପତ୍ତି ନେଇଛି।
ବୈଠକରେ ରେଲୱେ ଓଭର ବ୍ରିଜ ଗୁଡିକ ଲାଗି ଜମି ଅଧିଗ୍ରହଣ, ବ୍ରିଜ୍ ନିର୍ମାଣରେ ଗୁଣବତ୍ତା, ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ ଏବଂ ଆବଶ୍ୟକ ସ୍ଥଳେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରି ନିର୍ମାଣ କାର୍ଯ୍ୟ ଆଗେଇ ନେବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏଥିରେ ୧୧୨ ଟି ରେଲୱେ ଓଭର ବ୍ରିଜ ପାଇଁ ଆପ୍ରୋଚ ରାସ୍ତା ସକାଶେ ଜମି ଅଧିଗ୍ରହଣ ପାଇଁ ଭାରପ୍ରାପ୍ତ ଅଧିକାରୀଙ୍କୁ ମନୋନୀତ କରାଯାଇଛି।