ଭୁବନେଶ୍ୱର: ୨୬/୧-ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦେଶକ ଅଭିଜିତ ମଜମୁଦାରଙ୍କ ପରଲୋକ ଘଟିଛି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୫୪ ବର୍ଷୀୟ ଅଭିଜିତ ମଜୁମଦାରଙ୍କୁ ଅସୁସ୍ଥତା କାରଣରୁ ଗତ ସେପ୍ଟେମ୍ବର ମାସ ୪ ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେ ମରାତ୍ମକ ମସ୍ତିଷ୍କ ରୋଗରେ ପୀଡ଼ିତ ଥିଲେ । ଶରୀରରେ ଲବଣ ବା ଇଲେକ୍ଟ୍ରୋଲାଇଟର ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇଥିଲା । ଏଥି ସହିତ ତାଙ୍କର ଫୁସଫୁସ ଓ ରକ୍ତରେ ସଂକ୍ରମଣ ସହ ଲିଭର ସମସ୍ୟା ମଧ୍ୟ ରହିଥିଲା ।

ସେ ଦୀର୍ଘ ଦିନ ଧରି ଆଇସିୟୁ ଓ ଭେଣ୍ଟିଲେଟରରେ ରହିଥିଲେ । କିଛିଦିନ ତଳେ ତାଙ୍କ ସ୍ୱାସ୍ଥ୍ୟରେ ସୁଧୁରିଥିଲା । ସେ ଚେତା ଫେରି ପାଇଥିଲେ । ନଭେମ୍ବର ୧୦ରେ ତାଙ୍କୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଗତ୨୩ ତାରିଖରେ ତାଙ୍କୁ ଜ୍ୱର ହେବା ସହ ଶରୀରରେ ସଂକ୍ରମଣ ଦେଖା ଦେଇଥିଲା । ରକ୍ତଚାପ ବହୁତ କମିଯାଇଥିଲା ଏବଂ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦେଇଥିଲା । ୨୪ତାରିଖର ପୂର୍ବାହ୍ନ ୯ଟା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ।