
ଭୁବନେଶ୍ୱର :୩୦/୧-ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବାସଭବନରୁ ତାଙ୍କ ସହାୟକ ଶଙ୍କର୍ଷଣ ନାଗଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ତାଙ୍କ ଘର ବଲାଙ୍ଗୀର ଜିଲ୍ଲା ବେଲପାହାଡ଼ ଅଞ୍ଚଳରେ । ତାଙ୍କର କିଭଳି ଓ କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ଅସ୍ପଷ୍ଟ ରହିଛି । ବିଦ୍ୟୁତ ଆଘାତରେ ଶଙ୍କର୍ଷଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଜଣାପଡିନି। ଏନେଇ କ୍ୟାପିଟାଲ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ପ୍ରଶ୍ନ ଉଠାଇଲା ବିଜେଡି
-କେବଳ ୟୁଡି କେସ ରୁଜୁ କରି ତରବରିଆ ଭାବେ ଶବ ହସ୍ତାନ୍ତର କରାଯାଇଛି
– ଗଣମାଧ୍ୟମ ପ୍ରତିନିଧିଙ୍କୁ ମୃତକଙ୍କ ପରିବାର ସହିତ ବାର୍ତ୍ତାଳାପ କରାଇ ନଦେବା, ଅଧିକ ସନ୍ଦେହ ସୃଷ୍ଟି କରିଛି
– ବିଧିବଦ୍ଧ ତଦନ୍ତ କରି ମୃତ୍ୟୁର କାରଣ ଓ କିଏ ଦାୟୀ ତା’ର ସ୍ପଷ୍ଟୀକରଣ ରଖନ୍ତୁ ସରକାର
ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ତାଙ୍କର ଜଣେ ସହଯୋଗୀଙ୍କ ଅପମୃତ୍ୟୁ ଓ ତରବରିଆ ଭାବେ ମୃତକଙ୍କ ଶବ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବାକୁ ନେଇ ବିଜୁ ଜନତା ଦଳ ଆଜି ରାଜ୍ୟ ବିଜେପି ସରକାରଙ୍କୁ କାଠଗଡାରେ ଛିଡା କରିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳ ଉପ ସଭାପତି ସଞ୍ଜୟ ଦାସବର୍ମା କହିଛନ୍ତି, ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ତାଙ୍କର ଜଣେ ସହଯୋଗୀଙ୍କ ଅକଷ୍ମାତ ମୃତ୍ୟୁ ଘଟୁଛି ଓ ସରକାର କେବଳ ଏକ ୟୁଡି କେସ ରୁଜୁ କରି ମୃତକଙ୍କ ଶବ ତାଙ୍କ ପରିବାରକୁ ହସ୍ତାନ୍ତର କରି ଦେଇଛନ୍ତି । ସରକାରଙ୍କ ଏହି ତରବରିଆ ଉଦ୍ୟମ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ରାଜ୍ୟର ଗୃହ ମନ୍ତ୍ରାଳୟର ଦାୟିତ୍ୱ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପାଖରେ ଥିବାରୁ ଏହି ଘଟଣାର ସତ୍ୟାସତ୍ୟ ସେ ଓଡିଶାବାସୀଙ୍କ ନିକଟରେ ରଖିବା ଉଚିତ। ବ୍ୟକ୍ତି ଜଣଙ୍କର ମୃତ୍ୟୁ ବିଦ୍ୟୁତ ଆଘାତରେ ହେଲା ବୋଲି କୁହାଯାଉଥିବା ବେଳେ ସରକାରୀ ବାସଭବନରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିବା ଏକ ସାଙ୍ଘାତିକ ଘଟଣା। ଏହା ନିଶ୍ଚିତ ଭାବେ ଏକ ସୁରକ୍ଷା ତ୍ରୁଟି। ବ୍ୟକ୍ତି ଜଣଙ୍କର ମୃତ୍ୟୁ କିପରି ହେଲା ଓ ତାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ଏନେଇ ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ଅଛି । ମୃତକଙ୍କ ଶବ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପରିବାର ସଦସ୍ୟଙ୍କ ସହିତ ବାର୍ତ୍ତାଳାପ କରିବାକୁ ବାରଣ କରାଯାଇଥିଲା। ଏହାଦ୍ୱାରା ସରକାର କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଜଣାପଡୁଛି। ତେଣୁ ରାଜ୍ୟ ସରକାର ଏହି ମାମଲାର ଉପଯୁକ୍ତ ତଦନ୍ତ କରି ମୃତ୍ୟୁର କାରଣ ସମ୍ୱନ୍ଧରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।
