ଭୁବନେଶ୍ୱର: ୩୧/୧- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାରେ ପ୍ରସ୍ତୁତ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ଦର୍ଭ ପୁସ୍ତକ ଗୁଡିକ ଉନ୍ମୋଚନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ପୁସ୍ତକ ଗୁଡିକ ମଧ୍ୟରେ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ ଆଦି ପୁସ୍ତକ ରହିଛି। ଓଡ଼ିଆ ଭାଷାରେ ଏହି ଭଳି ବହି ଆଗରୁ ନ ଥିବାରୁ ରାଜ୍ୟ ସରକାର ପ୍ରତ୍ୟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୧୦ ରୁ ୨୦ ଟି ବହି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଉଚ୍ଚଶିକ୍ଷା ବିଦ୍ୟାଳୟର ଗ୍ରନ୍ଥାଳୟରେ ଏହି ବହି ଉପଲବ୍ଧ ହେବ ଓ ପିଲାମାନେ ଏହାକୁ ପଢ଼ି ପାରିବେ। ଏହି ପୁସ୍ତକ ଗୁଡ଼ିକ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାର ବିଭିନ୍ନ ଦୋକାନରେ ଉପଲବ୍ଧ ହେବା ପାଇଁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପ୍ରଚେଷ୍ଟା କରିବ। ଏହି ପୁସ୍ତକ ସମୁଦାୟ ୭୦୦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧,୨୦, ୦୦୦ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଦ୍ୱାଦଶ ଶ୍ରେଣୀ ପାଇଁ ମଧ୍ୟ ଓଡ଼ିଆ ଭାଷାରେ ବିଜ୍ଞାନ ପୁସ୍ତକ ପ୍ରସ୍ତୁତ କରିବାର ଯୋଜନା ରହିଛି। ଏହା ପ୍ରାଥମିକ ଶିକ୍ଷାରୁ ଉଚ୍ଚ ବୈଷୟିକ ଶିକ୍ଷା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରର ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଆ ଭାଷାରେ ସନ୍ଦର୍ଭ ପୁସ୍ତକ ଉପଲବ୍ଧ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ହେବ।