-ହ୍ୟୁମାନ ପାପିଲୋମା ଭାଇରସ୍ ସଂକ୍ରମଣ ନିରାକରଣ ପାଇଁ ଟୀକାକରଣ
-ଉପକୃତ ହେବେ ରାଜ୍ୟର ୧୪ ରୁ ୧୫ ବୟସ ମଧ୍ୟରେ ଥିବା ୩.୩୬ ଲକ୍ଷ ବାଳିକା
ଭୁବନେଶ୍ୱର:୨୮/୨-ରାଜସ୍ଥାନର ଆଜମେର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ହ୍ୟୁମାନ ପାପିଲୋମା ଭାଇରସ୍ ସଂକ୍ରମଣର ନିରାକରଣ ପାଇଁ ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି କ୍ରମରେ ଭୁବନେଶ୍ୱର କୃଷି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ ରାଜ୍ୟସ୍ତରୀୟ ଉତ୍ସବରେ ରାଜ୍ୟବ୍ୟାପୀ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କହିଛନ୍ତି, ଏହି ଟୀକାକରଣ ଅଭିଯାନ ଏକ ସାଧାରଣ କାର୍ଯ୍ୟକ୍ରମ ନୁହେଁ ବରଂ ମହିଳାମାନଙ୍କୁ ସୁସ୍ଥ ଓ ସଶକ୍ତ କରିବା ଏହାର ଲକ୍ଷ୍ୟ।
ସୂଚନାଯୋଗ୍ୟ ଯେ, ଏହି ଅଭିଯାନରେ ଓଡିଶାର ୧୪ ରୁ ୧୫ ବର୍ଷ ବୟସ ମଧ୍ୟରେ ଥିବା ପ୍ରାୟ ୩.୩୬ ଲକ୍ଷ ବାଳିକାଙ୍କୁ ଟୀକାକରଣ କରାଯିବ। ଏଥିପାଇଁ ୩ ମାସ ସମୟ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି ଟୀକା ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଦ୍ୱିତୀୟ ମାସରେ ଏହାକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ। ଏହି ଟୀକା ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ।

ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶରେ ରୋଗ ନିବାରଣ ଓ ସ୍ୱାସ୍ଥ୍ୟସେବାକୁ ସୁଦୃଢ ଓ ବ୍ୟାପକ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି। ଏହି ଟୀକା ଆମ କନ୍ୟା ମାନଙ୍କର ସ୍ୱାସ୍ଥ୍ୟ ଓ ଭବିଷ୍ୟତ ସୁରକ୍ଷା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, କର୍କଟ ରୋଗର ମୁକାବିଲା ନିମନ୍ତେ ୨୦୨୬-୨୭ ବଜେଟ୍ ରେ ‘ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା କାର୍ଯ୍ୟକ୍ରମ’ ଘୋଷଣା କରାଯାଇଛି। ଏଥିରେ ବ୍ୟାପକ କମ୍ୟୁନିଟି ଆୱାରନେସ୍ ସହିତ ଗାଁ ଗହଳିରେ ସ୍କ୍ରିନିଂ, ମୋବାଇଲ୍ କ୍ୟାମ୍ପ ଜରିଆରେ ପଦକ୍ଷେପ ନିଆଯାଇ ଆଗୁଆ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଓଡିଶା ପାଇଁ ସ୍ୱତନ୍ତ୍ର ଭାବେ ୧୨୧ଟି କର୍କଟ ଚିକିତ୍ସା ପ୍ୟାକେଜ୍ ମଧ୍ୟ କରାଯାଉଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବା ପାଇଁ ୨୮ଟି ନୂଆ ୧୦୮ ଆମ୍ବୁଲାନ୍ସ ମଧ୍ୟ ଲୋକାର୍ପଣ କରିଥିଲେ। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୪୦୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଥିଲା। ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୧୧୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ‘ସୁସ୍ଥ ନାରୀ, ସଶକ୍ତ ଭାରତ’ ଲକ୍ଷ୍ୟ ହାସଲ ନେଇ ସର୍ଭିକାଲ୍ କ୍ୟାନ୍ସରକୁ ରୋକିବା ପାଇଁ ଏହି ଟୀକାର ବଜାର ମୂଲ୍ୟ ୪ ହଜାର ଟଙ୍କା ହୋଇଥିବା ବେଳେ ଏହି ଟୀକା ଆମ ଝିଅମାନଙ୍କୁ ମାଗଣାରେ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା କରିଛନ୍ତି।