ଭୁବନେଶ୍ୱର:୨୮/୨-ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ “ବିକାଶ ମନ୍ଥନ ୧.୦: ଗଭର୍ନାନ୍ସ ଇନ୍ ଆକ୍ସନ୍’ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟ ହାସଲ କରିବା ପାଇଁ ଆମ ସରକାର ଏକ ‘ଲୋକ-କୈନ୍ଦ୍ରିକ ରୋଡମ୍ୟାପ୍’ ପ୍ରସ୍ତୁତ କରୁଛନ୍ତି। ବର୍ତ୍ତମାନର ୭.୯ ପ୍ରତିଶତ ଅଭିବୃଦ୍ଧି ହାର ଏବଂ ପ୍ରଥମ ଥର ପାଇଁ ରେକର୍ଡ ୩ ଲକ୍ଷ କୋଟି ଟଙ୍କାର ବଜେଟ୍ ପ୍ରାବଧାନ, ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଗ୍ରୋଥ ଇଞ୍ଜିନ ଭାବେ ପ୍ରତିଷ୍ଠିତ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଉଚ୍ଚସ୍ତରୀୟ ପରାମର୍ଶ ଶିବିରରେ ବିଭିନ୍ନ ବିଭାଗର ସଚିବ, ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞମାନଙ୍କ ସହ ସମନ୍ୱିତ ଶାସନ ଉପରେ ଗଭୀର ଚର୍ଚ୍ଚା ଆଲୋଚନା ଓ ମନ୍ଥନ କରାଯାଇଛି।

ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ଜଣାଇ ଆମେ ଏକ ସମୃଦ୍ଧ, ସଶକ୍ତ, ଆତ୍ମବିଶ୍ୱାସୀ ଏବଂ ବିକଶିତ ଓଡ଼ିଶା ଗଠନ ପାଇଁ ସଙ୍କଳ୍ପବଦ୍ଧ। “ବିକାଶ ମନ୍ଥନ’ରୁ ମିଳିଥିବା ମୂଲ୍ୟବାନ ପରାମର୍ଶଗୁଡ଼ିକ ଆମର ଭିଜନ ଡକ୍ୟୁମେଣ୍ଟକୁ ଆହୁରି ଶକ୍ତିଶାଳୀ କରିବ ଏବଂ ପ୍ରତ୍ୟେକ ଓଡ଼ିଆଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ଏକ ଅନୁଘଟକ ବା କାଟାଲିଷ୍ଟ ଭାବେ କାର୍ଯ୍ୟ କରିବ ବୋଲି ସେ ପ୍ରକାଶ କରିଛନ୍ତି।