ବିଜେଡି ଓ କଂଗ୍ରେସକୁ ଘାରିଛି କ୍ରସ ଭୋଟିଂ ଭୟ
ଭୁବନେଶ୍ୱର:୫/୩-ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ୫ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିବସ ୫ ତାରିଖରେ ଏହି ପାଞ୍ଚଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ।


ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ଶାସକ ଦଳ ବିଜେପି ପ୍ରାର୍ଥୀ କରିଛି। ବିଜେଡି ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିଛି। ଡାକ୍ତର ହୋତାଙ୍କୁ କଂଗ୍ରେସ ସମର୍ଥନ କରୁଛନ୍ତି। ଉଭୟ ବିଜେଡି ଓ କଂଗ୍ରେସ ଦଳର ସମର୍ଥନରେ ସେ ନିର୍ବାଚନ ଲଢ଼ୁଛନ୍ତି। ଦିଲ୍ଲୀପ ରାୟ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଚତୁର୍ଥ ଆସନ ପାଇଁ ବିଜେଡି-କଂଗ୍ରେସର ମିଳିତ ପ୍ରାର୍ଥୀ ଶ୍ରୀ ହୋତା ଏବଂ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ରାୟଙ୍କ ମଧ୍ୟରେ ଲଢେଇ ସରଗରମ ହେବା ଆଶଙ୍କା କରାଯାଉଛି। ସମଦୂରତା କଥା କହି ଆସୁଥିବା ବିଜେଡିକୁ କଂଗ୍ରେସ ସହ ମିଶି ପ୍ରାର୍ଥୀ ଦେବା ନେଇ ଅଧିକ ଅପଦସ୍ତ ହେବାକୁ ପଡିଛି।





ଚତୁର୍ଥ ଆସନ ପାଇଁ ଦିଲ୍ଲୀପ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ହେବା ପରେ ଉଭୟ ବିଜେଡି ଓ କଂଗ୍ରେସକୁ କ୍ରସ ଭୋଟିଂ ଭୟ ଘାରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଘୋଷଣା କରି ଯେଉଁ ମାଷ୍ଟର ଷ୍ଟ୍ରୋକ ଦେଇଥିଲେ ବିଜେପି ଦିଲ୍ଲୀପଙ୍କୁ ନିର୍ବାଚନ ମଇଦାନକୁ ଛାଡ଼ି ନବୀନଙ୍କ ରଣନୀତିକୁ ଚାଲେଞ୍ଜ କରିଛି। ଉଭୟ ବିଜେଡି ଓ କଂଗ୍ରେସ କ୍ରସଭୋଟିଂକୁ ନେଇ ଛାନିଆ ହୋଇପଡିଛନ୍ତି।
ବ୍ୟକ୍ତିଗତ ସମ୍ପର୍କ ଦୃଷ୍ଟିରୁ ଦିଲ୍ଲୀପ ଜିତିବା ପାଇଁ ଆବଶ୍ୟକ ପଡୁଥିବା ୮ଟି ଭୋଟ କଂଗ୍ରେସ ଓ ବିଜେଡିରୁ ନେଇ ପାରିବେ। ଏହା ବିଜେଡି ଏବଂ କଂଗ୍ରେସ ପାଇଁ ଏକ ବଡ଼ ଶିକ୍ଷା ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଲାଣି।