ଭୁବନେଶ୍ୱର: ୮/୩- ମାତ୍ର ଦେଢ଼ ବର୍ଷ ଭିତରେ ଆମ ମା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଏକ ଅଦ୍ଭୁତ ପୂର୍ବ ପରିବର୍ତ୍ତନର ବାର୍ତ୍ତାବହ ହୋଇପାରିଛି । ଆଗାମୀ ଦିନରେ ଅଧିକରୁ ଅଧିକ ମା ଏହି ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ସୁଭଦ୍ରା ଯୋଜନା ଅନ୍ତର୍ଗତ ଚତୁର୍ଥ କିସ୍ତି ପ୍ରଦାନ କରି ଏହା କହିଛନ୍ତି।


ପୁରୀ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପର୍ଯ୍ୟାୟରେ ୧,୨,୧୨,୬୬୫ ଜଣ ସୁଭଦ୍ରା ହିତାଧିକାରୀଙ୍କୁ ୫୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି। ସମୁଦାୟ ୫୧୦୬ କୋଟି ୩୩ ଲକ୍ଷ ୨୫ ହଜାର ଟଙ୍କାର ସହାୟତା ରାଶି ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏଥିରେ ପୁରୀ ଜିଲ୍ଲାର ୪,୨୦,୮୫୪ ଜଣ ହିତାଧିକାରୀ ଅଛନ୍ତି। ଉପସ୍ଥିତ ସୁଭଦ୍ରା ଭଉଣୀ ମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ମହିଳା ମାନଙ୍କୁ ସଶକ୍ତ କରିବାରେ ଆମର ସୁଭଦ୍ରା ଯୋଜନା ସଫଳ ହୋଇଛି ଓ ସେମାନଙ୍କୁ ଆର୍ôଥକ ସ୍ୱାଧୀନତା ପ୍ରଦାନ କରି ସ୍ୱତନ୍ତ ପରିଚୟ ଦେଇଛି। ସୁଭଦ୍ରା ଯୋଜନା ଆଜି ରାଜ୍ୟର ମହିଳା ମାନଙ୍କ ପାଇଁ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରତାର ସ୍ରୋତ ହୋଇପାରିଛି।
ଅନୁଗୁଳ, ବଲାଙ୍ଗୀର, ବରଗଡ଼, ଭଦ୍ରକ ଓ କଟକ ଭଳି ଅନେକ ଜିଲ୍ଲାର ମହିଳାମାନେ ଏହି ସହାୟତା ରାଶିକୁ ବ୍ୟବହାର କରି ଛତୁ ଚାଷ, କୁକୁଡ଼ା ପାଳନ, ବାଉଁଶ ବ୍ୟବସାୟ ଓ ଛୋଟ ବ୍ୟବସାୟ ଆରମ୍ଭ କରି ସଫଳତାର ଦୃଷ୍ଟାନ୍ତ ସୃଷ୍ଟି କରୁଛନ୍ତି। ସମ୍ବଲପୁରର ସର୍ଭେ ରିପୋର୍ଟ ଅନୁଯାୟୀ ୨୫.୫୨ ପ୍ରତିଶତ ହିତାଧିକାରୀ ସୁଭଦ୍ରା ସହାୟତାକୁ ବ୍ୟବସାୟ ଆରମ୍ଭ ପାଇଁ ବ୍ୟବହାର କରିଥିବା ବେଳେ ୩୫.୭ ପ୍ରତିଶତ ମହିଳା ଘରୋଇ ଆବଶ୍ୟକତା ପୂରଣରେ ବ୍ୟବହାର କରିଛନ୍ତି। ଏହା ସହିତ ଅନେକ ମହିଳା ଋଣ ପରିଶୋଧ, ସଞ୍ଚୟ ଓ ଦକ୍ଷତା ବୃଦ୍ଧିରେ ମଧ୍ୟ ଏହି ଅର୍ଥ ବ୍ୟବହାର କରି ପରିବାର ମଧ୍ୟରେ ସ୍ୱୀକୃତି ଓ ସମ୍ମାନ ହାସଲ କରିଛନ୍ତି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ରହିବ। ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୭ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇଥିବା ବେଳେ ୨୦୪୭ ସୁଦ୍ଧା ୬୦ ଲକ୍ଷ ‘ଲକ୍ଷପତି ଦିଦି’ ଓ ୧୦ ଲକ୍ଷ ‘ମିଲେନିଆର ଦିଦି’ ସୃଷ୍ଟି କରିବା ପାଇଁ ଆମର ଲକ୍ଷ୍ୟ ରହିଛି।
ମୁଖ୍ୟମନ୍ତ୍ରୀ ମାନ୍ୟବର ରାଷ୍ଟ୍ରପତିଙ୍କୁ ପଶ୍ଚିମବଙ୍ଗ ଠାରେ କରାଯାଇଥିବା ଅସମ୍ମାନକୁ ଦୃଢ ନିନ୍ଦା କରିବା ସହିତ ଏଭଳି ଅନାଦର କେବଳ ରାଷ୍ଟ୍ରପତିଙ୍କୁ ନୁହେଁ ସାରା ଦେଶ ପାଇଁ ଓ ସାରା ନାରୀ ସମାଜ ପ୍ରତି ଅସମ୍ମାନ ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ଭାରତ ବର୍ଷ ଆଜି ମହିଳାଙ୍କ ପାଇଁ ଯାହା ଭାବୁଛି ମା ସୁଭଦ୍ରାଙ୍କ ଆଶୀର୍ବାଦରୁ ଓଡ଼ିଶାରେ ମହିଳାମାନେ ତା ଠାରୁ ବହୁତ ଆଗରେ ଅଛନ୍ତି। ପୁରୀ ସାଂସଦ, ବ୍ରହ୍ମଗିରି ବିଧାୟିକା , ପିପିଲି ଓ ସତ୍ୟବାଦୀ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ।