ଲୋକଙ୍କ ସରକାର ଲୋକଙ୍କୁ ଜଣାଅ
୧୫ ବର୍ଷରେ କେତେ ରାଜସ୍ୱ ପାଇଛି ଶ୍ରୀମନ୍ଦିର?
ଭୁବନେଶ୍ୱର: ୯/୩-(ପ୍ରସାଦ କୁମାର ପ୍ରଧାନ)ଶ୍ରୀଜଗନ୍ନାଥଙ୍କ ଜମିର ସୁରକ୍ଷା ଓ ପୁନରୁଦ୍ଧାର ନିମନ୍ତେ ୧୫ ବର୍ଷ ହେଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଜମି କିଣାବିକାକୁ ଅସିଦ୍ଧ କରି ରଖିଛନ୍ତି। ଏଥିରେ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ହେବା ସହିତ ଲକ୍ଷ ଲକ୍ଷ ଲୋକ ହନ୍ତସନ୍ତ ହେଉଛନ୍ତି। ଅନେକ ସ୍ଥାନରେ ସବ ରେଜିଷ୍ଟ୍ରାର ଜମି ପଞ୍ଜୀକରଣ କରୁନାହାନ୍ତି। ସ୍ଥିତିବାନ ପଟ୍ଟା ଥିବା ଜମି ବି କିଣାବିକା ହେଉନାହିଁ କି ବନ୍ଧକ ସୂତ୍ରରେ ବ୍ୟାଙ୍କରେ ରଖାଯାଇ ପାରୁନି। ଏହାର କିସମ ମଧ୍ୟ ପରିବର୍ତ୍ତନ କରାଯାଇ ପାରୁନି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସ୍ୱାକ୍ଷରରେ ୨୦୧୨ରେ ପ୍ରକାଶିତ ବିଜ୍ଞପ୍ତି କିଣାବିକା ଉପରେ ଲଗାମ ଲଗାଇଥିବା ରାଜସ୍ୱ ଅଧିକାରୀମାନେ ପ୍ରକାଶ କରୁଛନ୍ତି। ସରକାରଙ୍କ କେଉଁ ନିର୍ଦେଶନାମା ବଳରେ ଜମି କିଣାବିକା ବନ୍ଦ ରହିଛି ସେ ନେଇ ସୂଚନା ଅଧିକାର ଆଇନରେ ରାଜସ୍ୱ ବିଭାଗକୁ ମଗାଯାଇଥିବା ତଥ୍ୟ ଉପରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ୨୦୧୨ର ବିଜ୍ଞପ୍ତି ମିଳିଥିବା ବେଳେ ଏହା ଉପରେ ଲୋକଙ୍କ ସମସ୍ୟା ସମାଧାନ ନେଇ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନନେଇ କେବଳ ପ୍ରେସ ବିବୃତ୍ତିରେ ପଦକ୍ଷେପ ନିଆଯାଉଥିବା କହୁଛନ୍ତି। ମୌଖିକ ଭାବେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା କଥା ରାଜସ୍ୱ ସଚିବ ଓ ମନ୍ତ୍ରୀମାନେ ବର୍ଷବର୍ଷ ଧରି କହି ଚାଲିଛନ୍ତି।


