ଭୁବନେଶ୍ୱର:୧୧/୩ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀମଣ୍ଡଳର ମିଳିତ ଆନୁକୂଲ୍ୟରେ ପଡ଼ିଗାଁଓ, ରାୟଗଡ଼, ଛତିଶଗଡ଼ ଠାରେ ବୁଧବାର ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି।
ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଦିବସ ଅବସରରେ “ବିଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ଓ ଶ୍ରୀ ଜଗନ୍ନାଥ ସଂସ୍କୃତି’ ଶୀର୍ଷକକୁ ନେଇ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଆଲୋଚନା ଚକ୍ରରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବଙ୍କ ସମେତ ବିଶିଷ୍ଟ ସାହିତ୍ୟିକ ଶରତ ଚନ୍ଦ୍ର ରଥ, ପି. କେ ରାଉତ, ରମେଶ ଚନ୍ଦ୍ର ମଲ୍ଲିକ, ଆରତି କର, ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀମଣ୍ଡଳର ସଭାପତି ସୀତାବଲ୍ଳଭ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଯୁବ ସାହିତ୍ୟିକମାନେ କବିତା ପାଠ କରିଥିଲେ। ପଡ଼ିଗାଁଓ ଅଞ୍ଚଳର ଓଡ଼ିଆ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଶଂସାପତ୍ର ବଣ୍ଟାଯିବା ସହ ଶିଶୁମାନଙ୍କ ମଧ୍ୟରେ ବର୍ଣ୍ଣବୋଧ ବଣ୍ଟନ କରାଯାଇଥିଲା। ଏଥିସହ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଝୁମୁକା ଫାଉଣ୍ଡେସନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଗୀତଗୋବିନ୍ଦ ସଦନ ଠାରେ “ମା’ ମାଟି ମାତୃଭାଷା’ ଶୀର୍ଷକକୁ ନେଇ ଆଲୋଚନ ଚକ୍ର ଆୟୋଜନ କରାଯାଇଥିଲା। ରାଉରକେଲା ଠାରେ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ସଭାରେ “ଶାସ୍ତ୍ରୀୟ ଓଡ଼ିଆ ଭାଷାର ଭିତ୍ତି ଓ ଭବିଷ୍ୟ’, “ଶାସ୍ତ୍ରୀୟ ଓଡ଼ିଆ ଭାଷା ଜ୍ଞାନ-ବିଜ୍ଞାନ, ପ୍ରଯୁକ୍ତି-ନିଯୁକ୍ତିର ଭାଷା’ ଆଦି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା।