-ନୂଆଦିଲ୍ଲୀ ସମେତ ରାଜ୍ୟ, ଜିଲ୍ଲା ଓ ଉପଖଣ୍ଡ ସ୍ତରରେ
ପାଳନ କରାଯିବ
-ଜୟଦେବ ଭବନରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଉତ୍ସବ
-ଉତ୍ସବକୁ ଆକର୍ଷଣୀୟ ଓ ଆନନ୍ଦ ଉଲ୍ଲାସର ସହ
ପାଳନ କରିବା ପାଇଁ ପରାମର୍ଶ
-ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ
ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଓଡ଼ିଆ ପକ୍ଷ
ଭୁବନେଶ୍ୱର: ୧୭/୩- ଓଡ଼ିଶା ଦିବସ ୨୦୨୬ ପାଳନ ଉପଲକ୍ଷେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂଆଦିଲ୍ଲୀ ସମେତ କୋଲକାତା, ମୁମ୍ବାଇ, ଚେନ୍ନାଇ ସମେତ ରାଜ୍ୟ ମୁଖ୍ୟାଳୟ ଭୁବନେଶ୍ୱର, ସମସ୍ତ ରାଜସ୍ୱ ଆୟୁକ୍ତ, ଜିଲ୍ଲା ଓ ଉପଖଣ୍ଡସ୍ତରରେ ଓଡ଼ିଶା ଦିବସକୁ ଆନନ୍ଦ, ଉଲ୍ଲାସ ଓ ଆକର୍ଷଣୀୟ ଭାବରେ ମହା ସମାରୋହରେ ପାଳନ କରିବାକୁ ସେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।
ରାଜ୍ୟ ଗୃହ, ଶିଳ୍ପ, ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବହେମନ୍ତ ଶର୍ମା ପ୍ରସ୍ତୁତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଏପ୍ରିଲ ୧ ତାରିଖ ସଂଧ୍ୟାରେ ଓଡ଼ିଶା ଦିବସର ରାଜ୍ୟସ୍ତରୀୟ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସଂପର୍କିତ ଫଟୋଚିତ୍ର ପ୍ରଦର୍ଶନୀ କରାଯିବ। ରାଜ୍ୟସ୍ତରୀୟ ଉତ୍ସବର ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥିମାନେ ଯୋଗଦେବେ। ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ଦିବ୍ୟାଙ୍ଗ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ଏବଂ ଏହି ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଉତ୍କଳପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ସହ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମକୁ ନେଇ ପ୍ରକାଶ ପାଉଥିବା ପତ୍ରିକା ‘ପ୍ରଗତି ପ୍ରବାହ’ ର ୩ୟ ସଂସ୍କରଣ ଉନ୍ମୋଚିତ ହେବ। ଜୟଦେବ ଭବନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଦିବସ ପାଳନ ଉପଲକ୍ଷେ ବିଭିନ୍ନ ସ୍ଥାନରେ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଦେଶାତ୍ମବୋଧକ ସଂଗୀତ ବାଦନ, ବିଭିନ୍ନ ସରକାରୀ ଓ ରାଷ୍ଟ୍ରାୟତ ଉଦ୍ୟୋଗ ସୌଧଗୁଡ଼ିକର ଆଲୋକୀକରଣ, ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସଫେଇ ଓ ମାଲ୍ୟାର୍ପଣ ନେଇ ଆଲୋଚନା କରାଯାଇଥିଲା। ଦେଶର ପ୍ରମୁଖ ସ୍ଥାନ ନୂଆଦିଲ୍ଲୀ ଠାରେ ପ୍ରମୁଖ ଆବାସିକ ଆୟୁକ୍ତ ଏବଂ କୋଲକାତା, ମୁମ୍ବାଇ, ଚେନ୍ନାଇ ଆଦିଠାରେ ସ୍ଥାନୀୟ ଓଡ଼ିଆ ସମାଜ ସହଯୋଗରେ ଓଡ଼ିଶା ଦିବସ ପାଳିତ ହେବ।
ଏପ୍ରିଲ ୧ତାରିଖ ଓଡ଼ିଶା ଦିବସରୁ ଆରମ୍ଭ କରି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ଅସ୍ମିତାକୁ ଆଧାର କରି ବିଭିନ୍ନ ଦିବସରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବା ନେଇ ସୂଚନା ଦିଆଯାଇଛି। ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ପର୍ଯ୍ୟଟନ ବିଭାଗ ସଚିବ ଶ୍ରୀ ବଲୱନ୍ତ ସିଂ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ନିର୍ଦ୍ଦେଶକ ବୈଷୟିକ ଗୁରବୀର ସିଂଙ୍କ ସମେତ ସଂପୃକ୍ତ ଅନ୍ୟ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।