ଭାଣ୍ଡିଆ ହେଲେ କଜଳପାତିଆ ବିଜେଡି ବିଧାୟକ ପ୍ରମିଳା, ଗୌତମ

ଭୁବନେଶ୍ୱର:୧୯/୩-ବିଜୁ-ନବୀନ ଇନସ୍ପିରେସନାଲ ଫାଉଣ୍ଡେସନ ଟ୍ରଷ୍ଟକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବା ସହ ରାଜ୍ୟବ୍ୟାପୀ ଚର୍ଚ୍ଚା ଜୋର ଧରିଥିବା ବେଳେ ଶେଷରେ ଏହି ପ୍ରସଙ୍ଗକୁ ସ୍ୱୀକାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ କହିଛନ୍ତି ଏହା ଏକ ଦାତବ୍ୟ ଟ୍ରଷ୍ଟ ଯାହାକୁ ସେ ନିଜେ ଗଢ଼ିଛନ୍ତି।

ସେ କହିଛନ୍ତି, ମୁଁ ଗୁରୁତର ହୋଇ ଅସ୍ତ୍ରୋପଚାର ପାଇଁ ମୁମ୍ବଇ ଯିବା ସମୟରେ ବିଜୁବାବୁଙ୍କ ନାମରେ ଏହି ଟ୍ରଷ୍ଟ ଖୋଲିବାକୁ ନିଷ୍ପତ୍ତି ନେଇଥିଲି।ଏହା ରାଜ୍ୟବାସୀଙ୍କ ହିତ ପାଇଁ ଉଦ୍ଦିଷ୍ଟ। ଏହି ଫାଉଣ୍ଡେସନ ପ୍ରସଙ୍ଗ ଉଠାଇ ବିଧାନସଭାରେ ବିଜେପି ବିଧାୟକମାନେ ତଦନ୍ତ ଦାବି କରିଛନ୍ତି। ଓଡ଼ିଶାବାସୀଙ୍କ ଅର୍ଥ କାହିଁକି ଦିଲ୍ଲୀରେ ରଖାଯାଇଛି ତା ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରି ଗୃହରେ ରିପୋର୍ଟ ଉପସ୍ଥାପନ କରଯାଉ ବୋଲି ବିଜେପି ବିଧାୟକମାନେ କହିଛନ୍ତି।
ନବୀନ ଏହା କହିବା ବେଳେ ବିଜୁବାବୁ କିଭଳି ପରୋପକାରୀ ବ୍ୟକ୍ତି ଥିଲେ ତାହାର ଉଦାହରଣ ଅବତାରଣ କରିଛନ୍ତି। ସେ କହିଛନ୍ତି, ବିଜୁବାବୁ ବିଜ୍ଞାନର ପ୍ରଚାର ପ୍ରସାର ପାଇଁ ପ୍ୟାରିସରେ କଳିଙ୍ଗ ୟୁନେସ୍କୋ ପୁରସ୍କାର ଆରମ୍ଭ କରିଥିଲେ। ଆମେ କଟକରେ ଥିବା ଆମର ପୈତୃକ ବାସଭବନ ଆନନ୍ଦ ଭବନକୁ ରାଜ୍ୟବାସୀଙ୍କ ବ୍ୟବହାର ଓ ସ୍ୱାର୍ଥ ପାଇଁ ଦାନ କରି ସାରିଛୁ। ଅସ୍ତ୍ରୋପଚାର ପାଇଁ ମୁମ୍ବଇ ଯିବା ବେଳେ କେତେକ ଆଇନଜୀବୀ, ଚାର୍ଯ୍ୟାଡ ଆକାଉଣ୍ଟାଣ୍ଟଙ୍କ ସହ ଦିଲ୍ଳୀରେ ଆଲେଚନା ବେଳେ ସେମାନେ ଟ୍ରଷ୍ଟ ଗଠନ ପରାମର୍ଶ ଦେଇଥିଲେ। ମୁଁ ମୋ ନିଜସ୍ୱ ପାଣ୍ଠିରୁ ଏକଲକ୍ଷ ଟଙ୍କା ଦେଇ ଏହା ଆରମ୍ଭ କରିଥିଲି। ଏହି ଅର୍ଥ ବିଜେଡି କିମ୍ବା କୌଣସି ଦଳରୁ ଆସିନାହିଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ କିଛିଦିନ ତଳେ ଦଳର କିଛି ବିଧାୟକଙ୍କ ଉପସ୍ଥିତିରେ ନବୀନ ଟ୍ରଷ୍ଟ ଗଠନକୁ ଅସ୍ୱୀକାର କରିଥିଲେ। ସଂତୃପ୍ତ ମିଶ୍ର ମଧ୍ୟ ଏହି ଟ୍ରଷ୍ଟ ସମ୍ପର୍କରେ କିଛି ଜଣନ୍ତି ନାହିଁ ବୋଲି କହିଥିଲେ। ଦିଲ୍ଲୀରେ ଫାଉଣ୍ଡେସନ ଥିବା ପ୍ରସଙ୍ଗକୁ ବିଜେଡିର ପ୍ରମିଳା ମଲ୍ଲିକା ଓ ଗୌତମବୁଦ୍ଧ ଦାସ ଅସ୍ୱୀକାର କରିଥିବା ବେଳେ ନବୀନ ସ୍ପଷ୍ଟୀକରଣ ଦେବା ପରେ ସେମାନେ ଭାଣ୍ଡିଆ ହୋଇଛନ୍ତି।