ହେବ ମଡେଲ କୁଲିଂ ସେଲଟର ବ୍ୟବସ୍ଥା
ଭୁବନେଶ୍ୱର:୧୯/୩-ଆସନ୍ତା ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଗ୍ରୀଷ୍ମ-ପ୍ରବାହ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ସମ୍ଭାବ୍ୟ ହିଟ୍ ୱେଭ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ବିଭାଗକୁ ପୂର୍ବ ପ୍ରସ୍ତୁତିମୂଳକ ପଦକ୍ଷେପ ଗ୍ରହଣ କରିବା ସହ ମାନବଜୀବନର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମଡେଲ କୁଲିଂ ସେଲଟହ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିଶୁ ଏବଂ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ହିଟ୍ ୱେଭ ପ୍ରସଙ୍ଗର ଗୁରୁତ୍ୱ ଉପଲବ୍ଧି କରି ଜନସାଧାରଣଙ୍କ ସୁରକ୍ଷା ଏବଂ ତ୍ୱରିତ ସମସ୍ୟା ସମାଧାନ ପାଇଁ ନିଜନିଜ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଶ୍ରମିକ ତଥା ଅନ୍ୟ ଶାରୀରିକ କାର୍ଯ୍ୟରେ ନିୟୋଜିତ ରହୁଥିବା ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ଅର୍ଥାତ୍ ଦିନ ୧୧ରୁ ୩ ଘଟିକା ଯାଏ କୌଣସି ବି ନିର୍ମାଣ ଆଦି ଶାରୀରିକ କାର୍ଯ୍ୟ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଏଥିରେ ଖିଲାପ କରି ଶ୍ରମିକ ବା ସାଧାରଣ ଲୋକଙ୍କୁ କାମରେ ଲଗାଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ, ଡାକ୍ତରଖାନା ଏବଂ ଅନ୍ୟାନ୍ୟ ସର୍ବସାଧାରଣ ଅନୁଷ୍ଠାନ ଏବଂ ସ୍ଥାନମାନଙ୍କରେ ଆବଶ୍ୟକ ଅନୁଯାୟୀ ଜଳଛତ୍ର, ପାନୀୟ ଜଳ, ଫାଷ୍ଟ- ଏଡ୍ ବକ୍ସ, ଓଆରଏସ, ଶୀତଳ କକ୍ଷ ଆଦିର ବ୍ୟବସ୍ଥା ନିଶ୍ଚିତ କରିବାକୁ ନିଷ୍ପତ୍ତି ହୋଇଥିଲା। ବିଦ୍ୟାଳୟରେ ଶିଶୁମାନଙ୍କ ପାଇଁ ନିୟମିତ ବ୍ୟବଧାନରେ ପାଣି ପିଇବା ନିମନ୍ତେ ସ୍ୱତନ୍ତ୍ର ବେଲ୍ ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦିଆଯାଇଥିଲା। ଜନବହୁଳ ଟ୍ରାଫିକ ସ୍ଥାନରେ ଅସ୍ଥାୟୀ ସେଡ ବ୍ୟବସ୍ଥା କରାଯିବା ନେଇ ଆଲୋଚନା ହୋଇଥିଲା। ବୈଠକରେ ଡାକ୍ତରଖାନାମାନଙ୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଂଶୁଘାତ ୱାର୍ଡର ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସମସ୍ତ ଗ୍ରାମପଞ୍ଚାୟତରେ ନଳକୂପ ମରାମତି ସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆବଶ୍ୟକସ୍ଥଳେ ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲା।
ବିଦ୍ୟୁତ୍ କାଟ ନିୟମିତ ସମସ୍ୟା ସୃଷ୍ଟି କରୁଥିବାରୁ ଏ ନେଇ ଶକ୍ତି ବିଭାଗ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯିବା ସହ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇ ଦେବାକୁ ଅଧିକ ଶକ୍ତି ସଂରକ୍ଷଣ କରି ରଖିବାକୁ ଆଲୋଚନା ହୋଇଥିଲା। ନିୟମିତ ଭାବରେ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ମାଧ୍ୟମରେ ସୂଚନା ଦିଆଯାଇ ଗ୍ରୀଷ୍ମ ପ୍ରବାହ ଏବଂ ଅଂଶୁଘାତ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।