ଭୁବନେଶ୍ୱର:୨୦/୩-ରାଜ୍ୟର ପର୍ଯ୍ୟଟନ ବିଭାଗ ଏକ ଐତିହାସିକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛି। ବିଶ୍ୱ ପଖାଳ ଦିବସ (ମାର୍ଚ୍ଚ ୨୦ ତାରିଖ)ରେ ଏକାସାଙ୍ଗରେ ୧,୧୭୪ କିଲୋଗ୍ରାମ ଓଜନର ପଖାଳ ପ୍ରସ୍ତୁତ କରି ଏବଂ ଏକ ବିଶାଳ ପାତ୍ରରେ ପରିବେଷଣ କରି ‘ବୃହତ୍ତମ ଫର୍ମେଣ୍ଟେଡ ରାଇସ (ପଖାଳ) ପରିବେଷଣ’ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି।


ଏହି ଅସାଧାରଣ ସଫଳତା କେବଳ ଓଡ଼ିଶାର ସମୃଦ୍ଧ ରନ୍ଧନ ଶୈଳୀ ଓ ପରମ୍ପରାକୁ ସମ୍ମାନିତ କରୁନାହିଁ ବରଂ ଓଡ଼ିଆ ସଂସ୍କୃତି ଓ ଦୈନନ୍ଦିନ ଜୀବନ ସହ ଜଡ଼ିତ ଆମର ପ୍ରିୟ ‘ପଖାଳ’କୁ ଆନ୍ତର୍ଜାତୀୟସ୍ତରରେ ଏକ ନୂଆ ପରିଚୟ ଦେଇଛି। ଏହି ସଫଳତା ଓଡ଼ିଶାର ଦେଶୀ ଖାଦ୍ୟ ପରମ୍ପରାକୁ ବିଶ୍ୱ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପ୍ରଦାନ କରିଛି। ଏହା ପ୍ରମାଣିତ କରିଛି ଯେ କିଭଳି ପଖାଳ ଭାତ ଏକ ସାଧାରଣ ଖାଦ୍ୟରୁ ଆଜି ସାଂସ୍କୃତିକ ଗର୍ବ ଏବଂ ବିଶ୍ୱସ୍ତରୀୟ ମାନ୍ୟତାର ପ୍ରତୀକ ପାଲଟିଛି। ପର୍ଯ୍ୟଟନ ବିଭାଗ କେବଳ ୧,୧୭୪ କେଜି ଓଜନର ପଖାଳ ପ୍ରସ୍ତୁତ କରି ସଫଳତା ସାଉଁଟିଥିବା ବେଳେ ସଠିକ ହିସାବ ପାଇଁ ରାଜ୍ୟର ଘରେ ଘରେ ପ୍ରସ୍ତୁତ ପଖାଳକୁ ସରକାର ହିସାବ କରିବାର ଆବଶ୍ୟକ ଥିଲା।